କନକ ବ୍ୟୁରୋ : ଉପାନ୍ତରୁ ଉପକୂଳ, ଗାଁରୁ ସହର । ରାସ୍ତା ପାଲଟିଛି ଏବେ ମରଣଯନ୍ତା । ବର୍ଷା ଅସରାଏ ହେଲେ କଥା ସରିଲା । ଶୋଚନୀୟ ରାସ୍ତାକୁ ନେଇ ବିଧାନସଭାର ଷ୍ଟାଣ୍ଡିଂ କମିଟି ଉଦବେଗ ପ୍ରକାଶ କରିଥିବା ବେଳେ ପୂଜା ପୂର୍ବରୁ ଦ୍ବୈତନଗରୀରେ ରାସ୍ତା ମରାମତି ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।
କାକଟପୁର ବ୍ଲକ ନରଣପୁର ଗାଁ : କାଦୁଅ ପଚପଚ ରାସ୍ତାରେ ଧନ୍ଦି ହେଉଛନ୍ତି ୩ ପଞ୍ଚାୟତର ଲୋକ, ବୈପାରିଗୁଡ଼ା ବ୍ଲକର କେନ୍ଦୁଗୁଡ଼ା ପଞ୍ଚାୟତ : ବ୍ରାହ୍ମଣଗୁଡ଼ା ରାସ୍ତାର ଅବସ୍ଥା ଶୋଚନୀୟ, ଖାଲଖମାରେ ଭର୍ତ୍ତି, ୬ ଗାଁର ଲୋକ ହେଉଛନ୍ତି ହନ୍ତସନ୍ତ, ଏହି ରାସ୍ତାରେ ସ୍କୁଲକୁ ଯିବାକୁ ଡରୁଛନ୍ତି ପିଲା, ନିଆଳିର ଗାୟାସାହି : ରାସ୍ତାର ଅବସ୍ଥା ଦେଖିଲେ ନାକ ଟେକିବେ, ପୋକମାଛି ଭଣଭଣ, ଯାତାୟାତ କରିବା ଦୂରର କଥା ।
କେବଳ ଏହି ୩ ରାସ୍ତା ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାସ୍ତାର ଅବସ୍ଥା ଠିକ୍ ଏହିଭଳି। କେଉଁଠି ଅସରାଏ ବର୍ଷାରେ ରାସ୍ତାରେ ଯିବା ମୁସ୍କିଲ ହୋଇପଡୁଛି ତ ପୁଣି କେଉଁଠି ଖାଲଖମା ଭର୍ତ୍ତି ରାସ୍ତା ପାଲଟିଛି ମରଣଯନ୍ତା । ଯାହାକୁ ନେଇ ଏବେ ଉଦବେଗ ପ୍ରକାଶ କରିଛି ବିଧାନସଭାର ଷ୍ଟାଣ୍ଡିଂ କମିଟି । ଉଭୟ ଶାସକ ବିରୋଧୀ ବିଧାୟକ ସମାନ ଅଭିଯୋଗ ଆଣି କହିଛନ୍ତି, ଗାଁରେ ଏବେ ରାସ୍ତା ଅବସ୍ଥା ଚାଲିବା ଯୋଗ୍ୟ ହୋଇନାହିଁ।
କେବଳ ଗାଁ ଗହଳିର ରାସ୍ତାର ଅବସ୍ଥା ଏମିତି ଦୟନୀୟ ନୁହେଁ । ଟ୍ବିନସିଟି ଓ ରାଜ୍ୟର ଅନ୍ୟ ସହରର ରାସ୍ତା ମଧ୍ୟ ଏବେ ଶୋଚନୀୟ ହୋଇପଡିଛି । ଯିଏ ରାସ୍ତାକୁ ବାହାରୁଛି, ସିଏ ନିଜକୁ ନିନ୍ଦୁଛି । ଲୋକଙ୍କ ଅସନ୍ତୋଷ ଭିତରେ ରାସ୍ତାକୁ ପୁଣି ଚକାଚକ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ପୂଜା ପୂର୍ବରୁ ରାସ୍ତାକାମ ସାରିବାକୁ ଡେଡଲାଇନ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ପ୍ରତିବର୍ଷ ବର୍ଷା ଋତୁରେ ସମାନ ସ୍ଥିତି ଭୋଗୁଛନ୍ତି ରାଜ୍ୟବାସୀ। ସ୍ଥାୟୀ ସମାଧାନ କରିବା ପରିବର୍ତ୍ତେ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ପିଚୁ ଘୋଡ଼ାଇ ଦେଉଛି ପ୍ରଶାସନ ।