କନକ ବ୍ୟୁରୋ : ଜିଲ୍ଲାରେ ଗମନାଗମନକୁ ସୁବ୍ୟବସ୍ଥିତ କରିବା ପାଇଁ ବାର୍ଷିକ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି । ହେଲେ ଟଙ୍କା ବାଟରେ ଟଙ୍କା ଯାଉଛି । ଆଉ କାର୍ଯ୍ୟ ହେଉଛି ନିମ୍ନମାନର । ସରକାରୀ ବାବୁ ଓ ଠିକାଦାର ମିଶି ନିମ୍ନମାନର କାମ କରି ନିଜ ପକେଟ ଗରମ କରୁଥିବା ଅଭିଯୋଗ ଆସିଛି ।
ନବ ନିର୍ମିତ ରାସ୍ତାର ସ୍ଥାନେସ୍ଥାନେ ଖାଲଖମା । ପିଚୁ ଉଠିଗଲାଣି । ଧୂଳିଧୂଆଁ ଯାତ୍ରୀଙ୍କୁ ଅତିଷ୍ଠ କରୁଛି । ଝାରସୁଗୁଡ଼ା ଜିଲ୍ଲା ବନ୍ଧରପଡ଼ାର ଆଇଓସିଏଲ୍ ଠାରୁ ଧୁତୁରା ବସ୍ ଷ୍ଟାଣ୍ଡ ଯାଏଁ ଥିବା ସାଢ଼େ ୪ କିମି ରାସ୍ତା ନିର୍ମାଣର ବର୍ଷେ ନପୂରୁଣୁ ପାଲଟିଯାଇଛି ଯାତ୍ରୀଙ୍କ ଦୁଃଖ । ଆଉ ଏଥିପାଇଁ ନିମ୍ନମାନର କାମକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ପୂର୍ତ୍ତ ବିଭାଗ ତରଫରୁ ଏହି ରାସ୍ତା ପାଇଁ ୧୩ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ଗୋଟିଏ ବର୍ଷ ବି ଗଲାନି କୋଟି କୋଟିର ରାସ୍ତା । ପ୍ରତ୍ୟେକ ଦିନ ହଜାର ହଜାର ଗାଡ଼ି ଯାତାୟାତ କରିବା ସହ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ସିଧାସଳଖ ସଂଯୋଗ କରୁଛି ଏହି ରାସ୍ତା । ତେଣୁ ତୁରନ୍ତ ଏହାର ମରାମତି କରିବାକୁ ଦାବି କରିଛନ୍ତି ଝାରସୁଗୁଡ଼ାବାସୀ ।
ତେବେ ଠିକା ସଂସ୍ଥା ଆଉ ଅଧା ରାସ୍ତା ନିର୍ମାଣ କରିବ ଏବଂ ଖରାପ ହୋଇଥିବା ରାସ୍ତାର ମରାମତି ପରେ ହିଁ ବିଲ୍ ପ୍ରଦାନ କରାଯିବ ବୋଲି କହିଛନ୍ତି ପୂର୍ତ୍ତ ବିଭାଗର ଅଧିକାରୀ । ଅନ୍ୟପଟେ ଠିକାସଂସ୍ଥା ଠାରୁ ହାତଗୁଞ୍ଜା ନେଇ ବରିଷ୍ଠ ଅଧିକାରୀ ଚୁପ୍ ବସିଥିବା ଅଭିଯୋଗ ଆସୁଛି ।