କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଟ୍ରାଫିକ ବ୍ୟବସ୍ଥା । ଜଣେ କି ଦୁଇଜଣ ନୁହେଁ, ଗତ ୨ ବର୍ଷରେ ଜିଲ୍ଲାରେ ୩୯୬ ଜଣଙ୍କର ରାସ୍ତାରେ ଗଲାଣି ପ୍ରାଣ । ବେପାରୁଆ ଗାଡ଼ି ଚାଳନା, ଟ୍ରାଫିକ ସଚେତନତା ଅଭାବ, ବିପଦସଙ୍କୁଳ ରାସ୍ତାଘାଟ ପାଇଁ ଦୁର୍ଘଟଣା ବଢ଼ୁଥିବା କହିଛନ୍ତି ବିଶେଷଜ୍ଞ ।

Advertisment

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁର । ଦିନକୁ ଦିନ ଜିଲ୍ଲାରେ ଜନସଂଖ୍ୟା ବଢ଼ିବା ସହ ବୃଦ୍ଧି ପାଉଛି ଯାନବାହନ । ଆଉ ଏହା ସହ ତାଳ ଦେଇ ବଢ଼ୁଛି ସଡ଼କ ଦୁର୍ଘଟଣା । ଗତ ୨ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ ୩୯୬ ଜଣଙ୍କର ମୃତ୍ୟୁ ହୋଇଛି । ୨୦୪ ଜଣ ଗୁରୁତର ଓ ୨୫୮ ଜଣ ସାମାନ୍ୟ ଆହତ ହୋଇଥିବା ନବରଙ୍ଗପୁର ଆରଟିଓଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ଜିଲ୍ଲାର ୮ଟି ସ୍ଥାନକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ଖାସ୍‌ କରି ଉମରକୋଟ ଓ ପାପଡ଼ହାଣ୍ଡିରେ ଦୁର୍ଘଟଣା ସଂଖ୍ୟା ଅଧିକ । ବେପରୁଆ ଗାଡ଼ି ଚାଳନା, ଟ୍ରାଫିକ ନିୟମ ନମାନିବା, ହେଲମେଟ୍‌ ନପିନ୍ଧିବା ଆଦି ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ସଡ଼କ ସୁରକ୍ଷାର ଏପରି ସଙ୍ଗୀନ ସ୍ଥିତିକୁ ନେଇ ଗଣମାଧ୍ୟମ ସାମନାରେ ମୁହଁ ଖୋଲିବାକୁ ନାରାଜ ଜିଲ୍ଲା ପରିବହନ ଅଧିକାରୀ ।