ସମୟ ସରିଗଲା, କାମ ସରିଲାନି ; ରାସ୍ତା ପାଲଟିଛି ମରଣଯନ୍ତା

ଅବଧି ସରିଗଲା, ହେଲେ ସରିଲାନି ରାସ୍ତା ନିର୍ମାଣ । ଯାଜପୁର ଜିଲ୍ଲା କୋରେଇରେ ଅଧାରେ ଅଟକିଛି କୋଟିଏ ଟଙ୍କାର ପ୍ରକଳ୍ପ । ମାଟି ଓ ଆଣ୍ଠୁଏ ଉଚ୍ଚା ଡଷ୍ଟ ପକାଇ କାମ ସାରିଦେଇଛି ଠିକାଦାର । ବର୍ଷାରେ ରାସ୍ତା ପାଲଟୁଛି ମରଣଯନ୍ତା ।

18

କନକ ବ୍ୟୁରୋ:  ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହେଉଛି କାର୍ଯ୍ୟ ବି ଆରମ୍ଭ ହେଉଛି । ହେଲେ ଅବଧି ସରିଯାଉଛି, କିନ୍ତୁ ଅଟକିଯାଉଛି ରାସ୍ତା ନିର୍ମାଣ। ଆଉ ରାସ୍ତା ସମସ୍ୟା ପାଇଁ ବାରମ୍ବାର ବିଭିନ୍ନ ଜାଗାରୁ ସଡ଼କ ଦୁର୍ଘଟଣାର ଖବର ଆସୁଛି। ଆଉ ସବୁ ଜାଣି ଚୁପ୍‌ ବସୁଛନ୍ତି ବିଭାଗୀୟ ଅଧିକାରୀ । ଯାଜପୁର ଜିଲ୍ଲା କୋରେଇ ବ୍ଲକରୁ ଆସିଛି ଏମିତି ଏକ ରିପୋର୍ଟ । 

ଅଧପନ୍ତରିଆ ଅବସ୍ଥାରେ ପଡ଼ିଥିବା ଏହି ରାସ୍ତାଟି କୋରେଇ ବ୍ଲକ ଅନ୍ତର୍ଗତ ଉତ୍ତରଖଜିରା ଠାରୁ ବାଙ୍ଗରକୋଟ ଓ ତାରାକୋଟ ପର୍ଯ୍ୟନ୍ତ ଲମ୍ବିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରାସ୍ତା ନିର୍ମାଣ କରାଇଛି। କେବଳ ମାଟି ଓ ଆଣ୍ଠୁଏ ଉଚ୍ଚର ଡଷ୍ଟ ପକାଇଦେଇଛନ୍ତି ଠିକାଦାର। ଫଳରେ ଅସରାଏ ବର୍ଷା ହେଲେ ଅବସ୍ଥା ଶୋଚନୀୟ ହୋଇପଡ଼ୁଛି। ଅନେକ ସ୍ଥାନରେ ପାଣି ଜମୁଛି। 

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ପାଇଁ ୨୦୨୨ରେ ଟେଣ୍ଡର ହୋଇଥିଲା । ସେହି ବର୍ଷ ସେପ୍ଟେମ୍ବରରେ ୧ କୋଟି ୮୩ ଲକ୍ଷ ବ୍ୟୟ ଅଟକଳରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବଂ ୨୦୨୩ ଜୁନ୍‌ ମାସ ସୁଦ୍ଧା କାମ ସାରିବାକୁ କୁହାଯାଇଥିଲା । ହେଲେ ଏଯାଏଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନି , ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ନିଘା ନଥିବା ଅଭିଯୋଗ ହୋଇଛି । ସେପଟେ ତଦନ୍ତ କରାଯାଇ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ । ତେବେ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ବ ଦେଇ ତୁରନ୍ତ ରାସ୍ତା ନିର୍ମାଣ ଶେଷ କରିବାକୁ ସାଧାରଣରେ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe