କନକ ବ୍ୟୁରୋ: ପୂର୍ତ୍ତ ବିଭାଗ ଓ ବିଏମ୍ସିର ସମନ୍ୱୟ ଅଭାବରୁ ହୋଇପାରୁନି ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ବସ୍ ଷ୍ଟାଣ୍ଡ ରାସ୍ତା ମରାମତି । ଦୀର୍ଘଦିନ ହେଲା ବିପଦପୂର୍ଣ୍ଣ ଅବସ୍ଥାରେ ଯା’ ଆସ କରୁଛନ୍ତି ଯାତ୍ରୀ ।
ଆମେ କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ ବରଂ ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନ ରାସ୍ତାର କଥା କହୁଛୁ । ଯଦି ଆପଣ ଭୁବନେଶ୍ୱର ରେଳ ଷ୍ଟେସନକୁ ଯିବେ ତେବେ ଗାଡ଼ି ଓଲଟିବାର ଭୟ ରହିଛି । ଚାଲିକି ଯିବାକୁ ବି ଲାଗୁଛି ଡର । ବର୍ଷା ହେଲେ ସ୍ଥିତି ଆହୁରି ବେହାଲ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡ଼ି ମୋଟର ଏହି ରାସ୍ତାଦେଇ ବାହାରୁଛି ବସ୍ଷ୍ଟାଣ୍ଡରୁ । କିନ୍ତୁ ବିଏମ୍ସି ଓ ପୂର୍ତ୍ତ ବିଭାଗର ସମନ୍ୱୟ ଅଭାବରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ ।
ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଣ୍ଟ ଦେଇଛନ୍ତି ଆସନ୍ତା ୨୨ ତାରିଖ ମଧ୍ୟରେ ସହରର ରାସ୍ତା ଠିକ ହୋଇଯିବ । ହେଲେ ମୁଖ୍ୟ କଥା ହେଉଛି ପାର୍ବଣ ପାଖେଇ ଆସିଲାଣି । ହାତରେ ଆଉ ମାତ୍ର କିଛି ଦିନ । ଏଭଳି ବାହାରୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଭୁବନେଶ୍ବରର ରାସ୍ତାର ଅବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି ।