କନକ ବ୍ୟୁରୋ : ସ୍ଵାଧୀନ ହୋଇ ବି ପରାଧୀନ ଭଳି ଜୀବନ ଯାପନ କରୁଛନ୍ତି ଗ୍ରାମବାସୀ । ବିକାଶ ଠାରୁ କୋଶ ଦୂରରେ । ୩ ଫୁଟ ଓସାର କାଦୁଅ ରାସ୍ତା  ଡେଇଁ ଗାଁରେ ପହଂଚି ପାରୁନି ସରକାରୀ ଯୋଜନା । ଗାଁର ଦୁର୍ଦ୍ଦଶା ବାବଦରେ ପ୍ରଶାସନ ଓ ଲୋକ ପ୍ରତିନିଧି ଜାଣି ବି ହୋଇପାରୁନି ସମାଧାନ । ଶେଷରେ କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କଦମବେରେନା ଗ୍ରାମବାସୀ । 

ଓଡ଼ାପଡ଼ା ବ୍ଲକ କଦମବେରେନା ଗାଁରେ ଅନୁସୂଚିତ ଜାତି ଓ ଜନଜାତିର ଶହେ ପରିବାର ବାସ କରନ୍ତି । ଗାଁକୁ ରାସ୍ତାଟିଏ ନାହିଁ । ୩ ଫୁଟିଆ ରାସ୍ତାରେ ୪ କିଲୋମିଟର ଗଲେ ପଡ଼େ ପଞ୍ଚାୟତ ମୁଖ୍ୟାଳୟ । ବର୍ଷା ଦିନେ କାଦୁଅ ରାସ୍ତାରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରଛାତ୍ରୀ । ସ୍ୱାଧିନର ଦୀର୍ଘବର୍ଷ ପରେ ଗାଁକୁ ରାସ୍ତାଟିଏ ହୋଇ ପାରିନଥିବାରୁ କାଦୁଅ ପଚପଚ ରାସ୍ତାରେ ତଳିରୋଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।

କାଦୁଅ ରାସ୍ତା ଯୋଗୁଁ କଦମବେରେନାରେ ପକ୍କାଘର ତିଆରି ହୋଇପାରୁନି । ଗାଁକୁ ବଡ଼ ଗାଡ଼ି ଯାଉନାହିଁ । ତେଣୁ ଘର ତିଆରି ସାମଗ୍ରୀ ଯଥା ବାଲି, ଗୋଡି, ଇଟ ଭଳି ସାମଗ୍ରୀ ପହଂଚି ପାରୁନଥିବା ଅଭିଯୋଗ ହୋଇଛି ।   ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଓଡ଼ାପଡ଼ା ବିଡିଓ, ଜିଲ୍ଲାପାଳ, ହିନ୍ଦୋଳ ଏମଏଲଏଙ୍କୁ ଅନେକ ଥର ଅଭିଯୋଗ କରିଛନ୍ତି କିନ୍ତୁ କୌଣସି ସୁଫଳ ମିଳୁନି । ସ୍ଥାନୀୟ ଲୋକ ପ୍ରତିନିଧି ମଧ୍ୟ ଲୋକଙ୍କ ସମସ୍ୟା ଶୁଣୁନଥିବା ଅଭିଯୋଗ ହୋଇଛି ।