ସାବଧାନ! ରାସ୍ତାରେ ଜଗିଛି ଯମ, ଟିକେ ଅସାବଧାନତା ନେଇପାରେ ଜୀବନ

ଗଞ୍ଜାମ ସହର ଦେଇ ଯାଇଛି ଋଷିକୂଲ୍ୟା ନଦୀ। ନଦୀ ଉପର ଲମ୍ବିଛି ଦୁଇଟି ରେଳଧାରଣା। ଗୋଟିଏରେ ଟ୍ରେନ୍‌ ଯାତାୟାତ କରୁଥିବା ବେଳେ ଅନ୍ୟଟିରେ ଟ୍ରେନ୍‌ ସହ ଲୋକ ମଧ୍ୟ ଯା'ଆସ କରୁଥିବା ଦେଖିବାକୁ ମିଳିଛି।

20

Photograph: (kanak news)

କନକ ବ୍ୟୁରୋ: ବିପଜ୍ଜନକ ରାସ୍ତା । କେତେବେଳେ ଯେ ବାଟରେ ଜୀବନ ଚାଲିଯିବ, କହିବା ମୁସ୍କିଲ। ତଥାପି ଜୀବନକୁ ବାଜି ଲଗାଇ ମରଣରାସ୍ତାରେ ଚାଲିଛନ୍ତି ପିଲା ଠାରୁ ବୁଢ଼ା ସମସ୍ତେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରରେ। 

ଗଞ୍ଜାମ ସହର ଦେଇ ଯାଇଛି ଋଷିକୂଲ୍ୟା ନଦୀ। ନଦୀ ଉପର ଲମ୍ବିଛି ଦୁଇଟି ରେଳଧାରଣା। ଗୋଟିଏରେ ଟ୍ରେନ୍‌ ଯାତାୟାତ କରୁଥିବା ବେଳେ ଅନ୍ୟଟିରେ ଟ୍ରେନ୍‌ ସହ ଲୋକ ମଧ୍ୟ ଯା'ଆସ କରୁଥିବା ଦେଖିବାକୁ ମିଳିଛି। ଜାତୀୟ ରାଜପଥରେ ଦୁଇଥାକିଆ ନୂଆ ପୋଲ ନିର୍ମାଣ ପରେ ପ୍ରାୟ ୨୦ ବର୍ଷ ତଳୁ ଭାଙ୍ଗିଯାଇଛି ପୁରୁଣା ପୋଲ। ପୁରୁଣା ପୋଲରେ ଯାତାୟାତ କରୁଥିଲେ ଛତ୍ରପୁର ଓ ଗଞ୍ଜାମ ବ୍ଲକର ପ୍ରାୟ ୫ ଖଣ୍ଡ ଗାଁର ଲୋକ। ପୋଲ ଭାଙ୍ଗିଯିବା ପରଠୁ ରେଳଧାରଣାକୁ ବ୍ୟବହାର କରୁଛନ୍ତି। ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଯିବା ଆସିବା କରୁଛନ୍ତି। ସେହି ସମୟରେ ଯଦି ଟ୍ରେନ ଆସେ ଖାଲି ସ୍ଥାନ ଦେଖି ଠିଆ ହୋଇଯାଆନ୍ତି। ଏମିତି କରି ଅନେକ ସମୟରେ ଟ୍ରେନ ଦୁର୍ଘଟଣାରେ ଲୋକେ ମୃତାହତ ମଧ୍ୟ ହୋଇଛନ୍ତି।

ରେଳଧାରଣାକୁ ଛାଡ଼ି ଅନ୍ୟ ଏକ ରାସ୍ତା ଅଛି, ତାହା ବହୁତ ଦୂର। ପ୍ରାୟ ୧୦ କିମି ବୁଲିବୁଲି ଯିବାକୁ ପଡ଼ିବ। ତେଣୁ ଲୋକମାନେ ଏମିତି ବିପଦପୂର୍ଣ୍ଣ ଯାତାୟାତ କରନ୍ତି। ତେଣୁ ପୁରୁଣା ପୋଲ ସ୍ଥାନରେ ପୋଲଟିଏ କରିବାକୁ ୨୦୦୯ରେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ଗ୍ରାମବାସୀ। ସେ ସମୟରେ ପୋଲ ପାଇଁ ଧରପଗଡ଼ ବି ହୋଇଥିଲା। ଛତ୍ରପୁର ପୂର୍ତ୍ତ ବିଭାଗ ପ୍ରସ୍ତାବ ଦେବା ପରେ ସର୍ଭେ ଓ ଅନ୍ୟାନ୍ୟ ବୈଷୟିକ ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ବରର ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ସବୁ ସେଇଠି ଅଟକିଛି। କାମ ଇଞ୍ଚେ ବି ଆଗେଇନାହିଁ। ଗ୍ରାମବାସୀ ଆଗରୁ ଯେମିତି ଯା'ଆସ କରୁଥିଲେ ଆଜି ବି ସେମିତି ଯାଉଛନ୍ତି। 

ରେଳଧାରଣା ରାସ୍ତା ପାର୍ଶ୍ବ ଦେଇ ପଞ୍ଚାୟତ, ବିଭିନ୍ନ କାର୍ଯ୍ୟାଳୟ, ସ୍କୁଲ ଓ କଲେଜକୁ ଯିବା ଆସିବା କରୁଛନ୍ତି ଛାତ୍ରଛାତ୍ରୀ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏକ ପୋଲ ନିର୍ମାଣ କରନ୍ତୁ ବୋଲି ଦାବି କରିଛନ୍ତି ଗ୍ରାମବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe