କନକ ବ୍ୟୁରୋ: ଦୁର୍ନୀତିର ଅମରାବତି ପାଲଟିଛି କେନ୍ଦ୍ରାପଡ଼ା ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ । ପୂର୍ବରୁ ଆମେ ଦେଖିଛେ କିପରି ଆଦୌ କାମନ କରି ଠିକାଦାର ୩୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏବେ ପୁଣି ଏହି ବିଭାଗର ଆଉ ଏକ ଦୁର୍ନୀତିର କଥା ସାମ୍ନାକୁ ଆସିଛି । ସାତଭାୟା ଅଞ୍ଚଳରେ ନିମ୍ନମାନର କାମ କରାଯାଉଥିବାରୁ ଗ୍ରାମବାସୀ ବିରୋଧ କରିଛନ୍ତି । ଅନ୍ୟ ଦୁଇଟି ସ୍ଥାନରେ ଠିକାଦାର ଟଙ୍କାନେଇ ଛୁ ମାରିଛନ୍ତି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଥିବା ଅସାଧୁ ମେଣ୍ଟ ଯୋଗୁଁ ଏହି ଦୁର୍ନୀତି ସମ୍ଭବ ହେଉଥିବା ଅଭିଯୋଗ ହୋଇଛି।
ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଦୁର୍ନୀତି ପାର୍ଟ-୨
ଧିରେଧିରେ ଖୋଲୁଛି ଗୁମର
ସମୁଦ୍ର ମାଡିଯିବାରୁ ରାଜନଗର ବ୍ଲକର ସାତଭାୟା ଅଞ୍ଚଳବାସୀଙ୍କୁ ବଗପାଟିଆଠାରେ ଥଇଥାନ କରାଯାଇଛି । ସେମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ୨ କି.ମି ରାସ୍ତା ପାଇଁ ୨୨ ଲକ୍ଷ ବ୍ୟୟ ବରାଦ ହୋଇଥିଲା । ଠିକାଦାର ର-ଠ କରି କାମ ସାରିଦେବାକୁ ବସିଛନ୍ତି । ଦୀର୍ଘଦିନ ଧରି କାମ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତଦାରଖ କରୁନଥିବା ଅଭିଯୋଗ ହୋଇଛି । ମାଟି ଉପରେ ପିଚୁ ପକାଇ ଠିକାଦାର କାମ ସାରିଦେବାକୁ ବସିଛନ୍ତି । ନିମ୍ନମାନର କାମ ଅଭିଯୋଗ ପରେ ବି ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏତିକିରେ ସରିନି ଦୁର୍ନୀତି । ରାଜନଗର ବ୍ଲକର ଡେରା-ପେଣ୍ଠ ରାସ୍ତାର ଏଣ୍ଡୁଳାପୁର ଭେଡ଼ିସାହି ଠାରୁ ଖଣ୍ଡାମରା ପୋଲ ଯାଏଁ ରାସ୍ତାର ପିଚୁ ଉପରେ ପିଚୁ କରାଯାଇଛି । ୮ ଲକ୍ଷ ୪୦ ହଜାର ୩୦୭ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ପାଇଁ ଏଷ୍ଟିମେଟ୍ ହୋଇଥିଲା । ସେହିପରି ମହୁଲିଆ–ଜୁଣୁପାଙ୍ଗରା ରାସ୍ତାର ଖଦାଳସାହିଠାରୁ ପୋଖରୀଆ ଯାଏଁ ୪୦୦ ମିଟର ରାସ୍ତାକୁ ୨୦ ଦିନ ତଳେ ୫ ଲକ୍ଷ ୨୫ ହଜାର ଟଙ୍କାରେ ପିଚୁ କରାଯାଇଛି ।
ହେଲେ ଅବସ୍ଥା ପୂରା ସଙ୍ଗୀନ ହେଲାଣି । କେଉଁଠି ପିଚୁ ଉଠି ମେଣ୍ଟାଲ ଦେଖାଗଲାଣି ତ ଆଉ କେଉଁଠି ପିଚୁ ଫାଟି ଦୁଇ ଫାଳ ହେଲାଣି । ୨୫ ଏମ୍ଏମ୍ ସ୍ଥାନରେ ମାତ୍ର ୪ରୁ ୫ ଏମ୍ଏମ୍ ପିଚୁ କରି ଠିକାଦାର ଟଙ୍କା ନେଇ ଛୁ ମାରିଛନ୍ତି । ଦିନ କେଇଟାରେ ଏହି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଅର୍ଥ ଲୁଟ୍ ନେଇ ଅଭିଯୋଗ ହେଉଛି । ଏନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ବିଭାଗୀୟ ଅଧିକାରୀ । ତେବେ ସମୟ କହିବ କେବେ ଠିକାଦାରଙ୍କ ବିରୋଧରେ ଆକ୍ସନ ହେଉଛି ।