କନକ ବ୍ୟୁରୋ: ଦୁର୍ନୀତି କେମିତି ହୁଏ, ସରକାରୀ ଟଙ୍କା କିଭଳି ହରିଲୁଟ୍ କରାଯାଏ? ଅସାଧୁ ଉପାୟରେ କିଭଳି ଟଙ୍କା ଚଳୁ କରାଯାଏ? ତାହା ଦେଖିବାର ଅଛି ତ, ପୁରୀ ପୌରସଂସ୍ଥାର ବିଭିନ୍ନ ଗଳିକନ୍ଦି ବୁଲିଆସନ୍ତୁ। ଏହା ଦେଖି ଆପଣ ଜାଣିଯିବେ କୋଟି କୋଟି ଟଙ୍କା କିଭଳି ଦିନ ଦ୍ବିପ୍ରହରରେ ଲୁଟ୍ କରାଯାଇଛି। ଆଉ ଏହି କେଳେଙ୍କାରୀ ଉପରେ ପରଦା ଢାଙ୍କିବାକୁ ବର୍ଷ ଧରି କରାଯାଉନି ଅଡିଟ୍। ପୁରୀର ବିଭିନ୍ନ ଗଳିକନ୍ଦି ରାସ୍ତାରେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମୁଛି। ନୂଆକରି ପଡିଥିବା ଫେଭର ବ୍ଲକ ତାଡି ହୋଇ ଆଁ କରିଛି। କିନ୍ତୁ ଏ ରାସ୍ତାର ମରାମତି ଓ ପୁନରୁଦ୍ଧାର ପାଇଁ ୫ ବର୍ଷରେ ଖର୍ଚ୍ଚ ହୋଇଛି ୧୧୫ କୋଟିରୁ ଅଧିକ ଟଙ୍କା। ଯାହା ଦର୍ଶାଉଛି ଐତିହ୍ୟ ସହରରେ ସୀମାପାର କରିଛି ଦୁର୍ନୀତି।
କେବଳ ରାସ୍ତା ମରାମତିରେ ନୁହେଁ ନାଳ ନିର୍ମାଣ ଓ ମରାମତିରେ ମଧ୍ୟ ଦୁର୍ନୀତିର ଗନ୍ଧ ଭଣ ଭଣ ହୋଇ ବାସୁଛି। ତେବେ ବିଧାନସଭାରେ ଦିଆଯାଇଥିବା ଉତ୍ତର କୁହାଯାଇଛି ଯେ, ଗତ ୬ ବର୍ଷରେ ପୁରୀ ପୌରସଂସ୍ଥା ପକ୍ଷରୁ ନାଳ ମରାମତି ଓ ନିର୍ମାଣ ପାଇଁ ୨ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏବେ ବି ମୁଖ୍ୟ ନାଳ ଗୁଡିକରେ ସ୍ଲାବ ପଡି ପାରିନି। ଅନେକ ୱାର୍ଡରେ ନାଳ ମରାମତି ନହୋଇ ଅଳିଆ କୁଣ୍ଡ ପରି ପଡିଛି । ଏମିତି କାମ ପାଇଁ ଏତେ ଟଙ୍କା କେମିତି ଖର୍ଚ୍ଚ ହେଲା ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ। କିନ୍ତୁ ବଳକା କାମ ଖୁବଶୀଘ୍ର ସାରିବାକୁ କହି ଦୋଷ ଘୋଡାଇବାକୁ ଯଥାସାଧ୍ୟ ଉଦ୍ୟମ କରିଛନ୍ତି ପୌର ଅଧିକାରୀ।
୬ ବର୍ଷ ହେବ ପୁରୀ ପୌରସଂସ୍ଥା ପାଇଁ ହୋଇନି ନିର୍ବାଚନ । ଯାହାର ଫାଇଦା ଉଠାଇ ଚାଲିଛନ୍ତି ବାବୁ-ନେତାଙ୍କ ଅସାଧୁମେଣ୍ଟ। ବିନା ବଜେଟ ଅନୁମୋଦନରେ କୋଟି କୋଟି ଟଙ୍କା ଚଳୁ ହୋଇଥିବା ନେଇ ସନ୍ଦେହ ବଢିଛି।