କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଜିଲ୍ଲାର ଅନ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କ ପାଇଁ ବିଶୁଦ୍ଧ ଥଣ୍ଡା ଓ ଗରମ ପାଣି ଯୋଗାଇଦେବାର ମହତ ଉଦେଷ୍ୟ ନେଇ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ନିଜ ସାଂସଦ ପାଣ୍ଠି ରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହ ଅନ୍ୟ ଚିକିତ୍ସାଳୟ ପରିସରରେ ବସାଯାଇଥିଲା ଆରଓ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ଉଦଘାଟନ ର ଦୁଇ ଦିନ ପରେ ସେହି ଆରଓ ପ୍ଲାଣ୍ଟରେ ଝୁଲିଛି ତାଲା ତ ଅନ୍ୟ କେଉଁଠି ଶିଉଳି ସହ ଅନାବନା ଗଛ ଉଠିଗଲାଣି । ଗତ ତିନି ବର୍ଷ ଧରି ଏହି ଆର ଓ ପ୍ଲାଣ୍ଟ ଗୁଡିକ ରେ ଅଚଳ ହୋଇ ବନ୍ଦ ପଡିଛି । ବର୍ଷା ଦିନେ ପାଣି ପାଇଁ ଡହଳ ବିକଳ ରୋଗୀ ଓ ରୋଗୀ ଙ୍କ ସମ୍ପର୍କୀୟ । ତେଜୁଛି ଅସନ୍ତୋଷ ଶୀଘ୍ର କାର୍ୟ୍ୟକ୍ଷମ କରିବାକୁ ଉଠୁଛି ଦାବି ।
ରୋଗୀଙ୍କୁ ବିଶୁଦ୍ଧ ଥାଣ୍ଡା ଓ ଗରମ ପାଣି ଯୋଗାଇଦେବା ଉଦ୍ଦେଶ୍ୟରେ ନବରଙ୍ଗପୁର ମେଡିକାଲ ପରିସରରେ ଆର.ଓ ପ୍ଲାଂଟ ବସିଛି । ପ୍ଲାଣ୍ଟ ପରିସରରେ ଗଛଲତା ଉଠିଗଲାଣି । ଅଚଳ ହୋଇ ବନ୍ଦପଡ଼ିଛି ଆର.ଓ ପ୍ଲାଣ୍ଟ । କରୋନା ମହାମାରୀ ସମୟରେ ଏଠାରେ ଆର.ଓ ପ୍ଲାଂଟ ବସାଯାଇଥିଲା ।
ଉଦଘାଟନର ମାତ୍ର ଦୁଇ ଦିନ ବ୍ୟବହାର ହେବା ପରେ ଏବେ ତିନି ବର୍ଷ ହେଲା ତାଲା ଝୁଲୁଛି । ଆଉ ବର୍ଷା ଦିନେ ପିଇବା ପାଣି ପାଇଁ ସମସ୍ୟା ଭୋଗୁଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । ମେଡ଼ିକାଲ ସହିତ ଜିଲ୍ଲାର ମୁଖ୍ୟ ସ୍ଥାନରେ ଆର.ଓ. ପ୍ଲାଂଟ ପାଇଁ ସାଂସଦଙ୍କ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୧ରେ ଉଦଘାଟନ ହୋଇଥିଲା ଏହି ପ୍ଲାଂଟ । ହେଲେ ଏବେ ଏହା ରୋଗୀଙ୍କ କାମରେ ଆସୁନି ।
ତେବେ କେଉଁ କାରଣରୁ ତାଲାପଡ଼ିଛି ତା’ର କାରଣ ବର୍ତ୍ତମାନ ମଧ୍ୟ ଅସ୍ପଷ୍ଟ ରହିଛି । ଯେଉଁ ମହତ ଉଦ୍ଦେଶ୍ୟ ନେଇ ଆରଓ ପ୍ଲାଣ୍ଟ ଆରମ୍ଭ ହୋଇଥିଲା ତାହା ମଧ୍ୟ ସାଧିତ ହୋଇପାରୁନାହିଁ । ବର୍ଷା ଦିନେ ମେଡିକାଲକୁ ଆସୁଥିବା ଡାଇରିଆ, କଲେରା, ମ୍ୟାଲେରିଆ, ଯକ୍ଷ୍ମା, କାମଳ ରୋଗୀ ବିଶୁଦ୍ଧ ପାନୀୟ ଜଳ ପାଇପାରୁନାହାନ୍ତି । ଫଳରେ ବାହାର ଦୋକାନରୁ ବୋତଲ ପାଣି କିଣି ପିଉଛନ୍ତି । ଗରମ ପାଣି ପାଇଁ ପାଖ ଦୋକାନ ଉପରେ ଭରଷା କରୁଛନ୍ତି । ଆଉ କେହି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।
ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଆରଓ ପ୍ଲାଣ୍ଟର ମଧ୍ୟ ସମାନ ଅବସ୍ଥା । ଯେଉଁଠି ଆର.ଓ ପ୍ଲାଣ୍ଟ ଅଚଳ ହୋଇପଡିଥିବା ବେଳେ ଗେଟର ଭିତର ଚଟାଣରେ ଶିଉଳି ସହ ଅନାବନା ଗଛ ଉଠିଗଲାଣି ।