କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ବଡ଼ ଝଟକା ଲାଗିଛି । ନବାଦା ଜିଲ୍ଲାର ଦୁଇ ବିଧାନସଭା ଆସନ ନବାଦା ଓ ଓ ରଜୈଲିରୁ ବିଧାୟକ ବିଭା ଦେବୀ ଓ ପ୍ରକାଶ ବୀର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦୁଇଜଣ ବିଧାୟକ ସେମାନଙ୍କ ଇସ୍ତଫା ପତ୍ର ଅଧ୍ୟକ୍ଷ ନନ୍ଦକିଶୋର ଯାଦବଙ୍କୁ ଦେଇଛନ୍ତି ।
ଦୁଇ ବିଧାୟକଙ୍କ ଇସ୍ତଫା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଆଲୋଚନା ହେଉଛି କି ନୀତିଶଙ୍କ ଜେଡିୟୁ ଟିକେଟରୁ ଏହି ଦୁଇ ନେତା ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି । ସେପଟେ ବିଧାନସଭା ଅଧ୍ୟକ୍ଷ ନନ୍ଦକିଶୋର ଯାଦବ ଦୁଇ ବିଧାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ଇସ୍ତଫା ଦେଇଥିବା ଏହି ଦୁଇ ନେତା ପ୍ରଧାନମନ୍ତ୍ରୀଙ୍କ ଗୟା ସଭା ମଂଚରେ ଉପସ୍ଥିତ ଥିଲେ ।
ସୂଚନା ଥାଉ କି, ବିହାର ବିଧାନସଭାର ୨୪୩ ଆସନ ପାଇଁ ନଭେମ୍ବର ୬ ଓ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ମତଗଣନା ୧୪ ନଭେମ୍ବରରେ ହେବ ।
ସେପଟେ ମହାଗଠବନ୍ଧନରେ ଆସନ ବୁଝାମଣାକୁ ନେଇ ଏବେ ବି ଲାଗି ରହିଛି ଦ୍ୱନ୍ଦ୍ୱ । କଂଗ୍ରେସ କମ୍ ଆସନକୁ ନେଇ ଅସନ୍ତୁଷ ରହିଛି । ଏହାକୁ ନେଇ ବିରୋଧୀଦଳ ନେତା ତେଜସ୍ୱୀ ଯାଦବ, ରାବଡି ଦେବୀ ଓ ଲାଲୁ ପ୍ରସାଦ ଯାଦବ ଏବେ ଦିଲ୍ଲୀ ଯାଇଛନ୍ତି । ଲାଲୁ ଯାଦବ କିନ୍ତୁ କହିଛନ୍ତି ଆସନ ବୁଝାମଣାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ।