କନକ ବ୍ୟୁରୋ : ଏଥର ହୋଲିରେ ମୁସଲମାନ ଭାଇମାନେ ଘରୁ ନବାହାରି, ଘର ଭିତରେ ହିଁ ହୋଲି ଖେଳନ୍ତୁ... ଘର ଭିତରେ ଉତ୍ସବ ମନାନ୍ତୁ... ଯଦି ଘରୁ ପଦାକୁ ବାହାରୁଛନ୍ତି ତେବେ ହୃଦୟ ବଡ କରି ବାହାରନ୍ତୁ... କାହିଁକିନା ଯଦି ତାଙ୍କ ଦେହରେ ରଙ୍ଗ ଲାଗେ ତେବେ ସେମାନଙ୍କୁ ଖରାପ ନଲାଗିବା ଦରକରା । ବିହାରର ବିଜେପି ବିଧାୟକ ହରିଭୂଷଣ ଠାକୁରଙ୍କ ଏପରି ବିବାଦୀୟ ବୟାନକୁ ନେଇ ଗରମ ହୋଇଛି ବିହାର ରାଜନୀତି । ବିଜେପି ନେତାଙ୍କ ଏହି ବୟାନ ପରେ ନିଆଁବାଣ ହୋଇଉଠିଛନ୍ତି ତେଜସ୍ୱୀ ଯାଦବ ।  

Advertisment

‘କାହା ବାପା ରାଜ୍ ଚାଲିନି’
ବିଜେପି ନେତାଙ୍କ ଏହି ବିବାଦୀୟ ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ତେଜସ୍ୱୀ ଯାଦବ । ସେ କହିଛନ୍ତି, ଏଠି କାହା ବାପାର ରାଜ୍ ଚାଲିନି । ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ନେତାଙ୍କ ବିରୋଧରେ ନୀତିଶ କୁମାର ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଉ ।

 ତେଜସ୍ୱୀ ଯାଦବ କଟାକ୍ଷ କରି କହିଛନ୍ତି, ଛୁଆମାନଙ୍କୁ ମନେରଖିବା ଦରକାର କି, ଇଏ ହେଉଛି ବିହାର । ଏଠି ଆରଏସଏସ-ବିଜେପି ଏବଂ ସଂଘ ପରିବାର ଯୋଜନା ସବୁବେଳେ ବିଫଳ ହୋଇଥାଏ । ସେମାନଙ୍କୁ ଲାଗୁଛି କି ସେମାନେ ମୁସଲମାନ ଭାଇମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବେ । କିନ୍ତୁ ସେମାନେ ମନେରଖିବା ଦରକାର, ଆମ ଦେଶ ଏପରି ଏକ ରାଷ୍ଟ୍ର ଯେଉଁଠି ଜଣେ ମୁସଲମାନ ଭାଇକୁ ଅତି କମରେ ୫ଜଣ ହିନ୍ଦୁ ସୁରକ୍ଷା ଦେଇଥାନ୍ତି । 

ତେଜସ୍ୱୀ ଯାଦବ ନୀତିଶ କୁମାରଙ୍କୁ ବି କଟାକ୍ଷ କରିଛନ୍ତି । ସେ କହିଛନ୍ତି, ମୁସଲମାନ ଭାଇମାନଙ୍କ ବିରୋଧରେ ଏପରି ବିବାଦୀୟ ଟିପ୍ପଣୀ ଦେଇଥିବା ନେତାଙ୍କୁ ଡାକି, ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନୀତିଶ୍ । ଅବଶ୍ୟ ଏଭିଳି ନେତାଙ୍କଠୁ କିଛି ଆଶା କରିବା ଭୁଲ ହେବ, ଯେଉଁ ନେତା ନିଜର ଚେତା ଚେତନାକୁ ହରାଇ ବସିଥିବେ । 

କ'ଣ କହିଲେ ଜମା ଖାନ୍?
ବିଜେପି ବିଧାୟକଙ୍କ ଏହି ବୟାନ ଉପରେ ବିହାର ସରକାରଙ୍କ ମନ୍ତ୍ରୀ ଜମା ଖାନ କହିଛନ୍ତି, ଏହି ପର୍ବ ପାରସ୍ପରିକ ଭାଇଚାରାର ପର୍ବ । ସମସ୍ତ ଲୋକ ଏକାଠି ରହିବା ଉଚିତ । ନମାଜ ବିଷୟରେ କହିବାକୁ ଗଲେ, ଲୋକମାନେ ଶୁକ୍ରବାର ଦିନ ମସଜିଦରେ ନମାଜ ପାଠ କରନ୍ତି । ସେହି ଦିନ ଯେଉଁ  ପୋଷାକ ପିନ୍ଧିଥାନ୍ତି, ଯଦି ସେମାନଙ୍କ ଉପରେ କୌଣସି ପ୍ରକାରର ଦାଗ ଲାଗିଯାଏ, ତେବେ ସେମାନେ ନମାଜ ପଢ଼ନ୍ତି ନାହିଁ, ତେଣୁ, ଲୋକମାନଙ୍କୁ ନମାଜିମାନଙ୍କ ଉପରେ ରଙ୍ଗ ଲଗାଇବାକୁ ମନା କରାଯାଏ । କିନ୍ତୁ, ଯଦି ଭୁଲରେ କାହା ଉପରେ ରଙ୍ଗ ପଡ଼ିଯାଏ, ତେବେ କୌଣସି ଅସୁବିଧା ନାହିଁ କାରଣ ବିହାରରେ ସମସ୍ତ ଲୋକ ଭାଇଚାରା ସହିତ ଏକାଠି ରୁହନ୍ତି ଏବଂ ସମସ୍ତ ପର୍ବ ଭାଇଚାରା ସହିତ ଏକାଠି ପାଳନ କରାଯାଏ ।