କନକ ବ୍ୟୁରୋ: ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପଙ୍କୁ ଆରଜେଡି ସାଂସଦଙ୍କ ସମର୍ଥନ । ଆପଣ ଜାଣିଥିବେ, ତେଜପ୍ରତାପଙ୍କ ଗୋଟିଏ ଫେସବୁକ୍ ପୋଷ୍ଟ କିଭଳି ବିବାଦ ସୃଷ୍ଟି କଲା, ଆଉ ତାଙ୍କୁ ଆରଜେଡିରୁ ନିଲମ୍ବିତ ମଧ୍ୟ କଲା । ଏହାସହ ବାପା ଲାଲୁ ଯାଦବ ତାଙ୍କୁ ତେଜ୍ୟପୁତ୍ର ମଧ୍ୟ କଲେ । ହେଲେ ଏତେ ସବୁ ପରେ ବି, ତେଜପ୍ରତାପଙ୍କୁ କିନ୍ତୁ ସମର୍ଥନ କରିଛନ୍ତି ଆରଜେଡିର ସାଂସଦ ସୁଧାକର ସିଂହ । ପାରିବାରିକ ବିବାଦ ଏବଂ ଦ୍ୱିତୀୟ ବିବାହକୁ ନେଇ ସେ ତେଜପ୍ରତାପଙ୍କୁ ସମର୍ଥନ ଜଣାଇଛନ୍ତି । ତାଙ୍କ କହିବା କଥା, ଏହା ତେଜପ୍ରତାପଙ୍କ ବ୍ୟକ୍ତିଗତ କଥା । ବାହା ହେବା କୌଣସି ଅନୈତିକ କାମ ନୁହେଁ । ଦୁଇଟି ବିବାହ କଥା ତାଙ୍କ ପରମ୍ପରାରେ ରହିଛି ବୋଲି କହିଛନ୍ତି ଆରଜେଡି ସାଂସଦ ।

Advertisment

ରାଷ୍ଟ୍ରୀୟ ଜନତା ଦଳର ସାଂସଦ ସୁଧାକର ସିଂହ ସୋମବାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରିବା ସମୟରେ କହିଥିଲେ, ବାହା ହେବା ତାଙ୍କର ବ୍ୟକ୍ତିଗତ କଥା । ଆଇନ ମଧ୍ୟ ଏହାକୁ ଭୁଲ ବୋଲି ଗ୍ରହଣ କରୁନି । ଆମେ ରାମ ମନୋହର ଲୋହିଆଙ୍କ ରାସ୍ତାରେ ଚାଲୁଥିବା ଲୋକ । ତେଣୁ ତେଜପ୍ରତାପ ଯଦି ଦ୍ୱିତୀୟ ବିବାହ କରିଛନ୍ତି, ତେବେ ସେ ଏହାକୁ ନିଜେ କହିଲେ କିଛି ବି ଅନୈତିକ ନୁହେଁ । 

ଆରଜେଡିର ସାଂସଦ ଜଣକ ହିନ୍ଦୁ ରୀତିନୀତିର କଥା କହିବା ସହିତ କହିଛନ୍ତି, ଦୁଇଟି ବିବାହର ପ୍ରଚଳନ ପୂର୍ବରୁ ମଧ୍ୟ ରହିଛି । ଏମିତି କି ଚିରାଗ ପାଶଓ୍ୱାନ ମଧ୍ୟ ଦ୍ୱିତୀୟ ମାଆଙ୍କଠାରୁ ଜନ୍ମ ନେଇଛନ୍ତି । ଅନେକ ଲୋକ ଦୁଇ, ତିନି ଥର ବାହା ହୋଇଛନ୍ତି । ଯାହାକି କୌଣସି ବଡ଼ କଥା ନୁହେଁ ବୋଲି ସେ କହିଛନ୍ତି । ଆରଜେଡିର ସାଂସଦ ଜଣକ ଏପରି କଥା କହିବା ସହ ଲାଲୁଙ୍କୁ ମଧ୍ୟ ଅପିଲ୍ କରିଛନ୍ତି । ଲାଲୁ ଜଣେ ପିତା ଭାବେ ଏହି କଥାକୁ ସ୍ୱୀକାର କରନ୍ତୁ । 

ସୂଚନାଯୋଗ୍ୟ ଯେ, ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ନିଜ ସୋସିଆଲ୍ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଜଣେ ଯୁବତୀଙ୍କ ସହ ରିଲେସନସିପରେ ଥିବା ନେଇ ଉଲ୍ଲେଖ କରିଥିଲେ । ଯାହାକୁ ନେଇ ହିଁ ବଡ଼ ବିବାଦ ମୁଣ୍ଡ ଟେକିଥିଲା । ଏହି ପୋଷ୍ଟ କରିବା ପରେ ଲାଲୁ ଯାଦବ ତାଙ୍କୁ ଦଳରୁ ନିଲମ୍ବିତ କରିବା ସହିତ ତେଜ୍ୟପୁତ୍ର କରିଥିଲେ ।