କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି ବିହାର ରାଜନୀତି ସେତିକି ସରଗରମ ହେଉଛି । ଅନ୍ୟ ଉପରେ ଆରୋପ ପ୍ରତ୍ୟାରୋପ ମଧ୍ୟ ବଢି ବଢି ଚାଲିଛି । ଏହାରି ଭିତରେ ମୁକେଶ ରୋଶନ ବଡ ବୟାନ ଦେଇଛନ୍ତି । ବିଜେପି-ଜେଡିୟୁକୁ ନେଇ ମୁକେଶ ଦେଇଥିବା ବୟାନ ଗରମ ହେଉଥିବା ରାଜନୈତିକ ମାହୋଲକୁ ଆଉ ଟିକେ ଖୋରାକ ଯୋଗାଇଛି ।
ଆରଜେଡି ବିଧାୟକ ମୁକେଶ ରୋଶନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ନୀତିଶ କୁମାରଙ୍କ ମାନସିକ ଅବସ୍ଥାକୁ ବିଚାର କରି ବିଜେପି ତାଙ୍କ ଉପରେ ଚାପ ପକାଉଛି । ଆରଜେଡି ବିଧାୟକ ଦାବି କରିଛନ୍ତି, ଜେଡିୟୁକୁ ବିଜେପି ସହ ମିଶାଇବା ପାଇଁ ନୀତିଶଙ୍କ ଉପରେ ବିଜେପି ଚାପ ପକାଉଛି । କେବଳ ଏତିକି ନୁହେଁ, ନିର୍ବାଚନ ପର୍ଯ୍ୟନ୍ତ ଆଗାମୀ ୬ମାସ ପାଇଁ ବିହାରରେ ବିଜେପିର ମୁଖ୍ୟମନ୍ତ୍ରୀ କରିବା ପାଇଁ ଚାପ ପକାଯାଉଛି । ଯଦି ନୀତିଶ ଏହା ନ କରନ୍ତି, ତେବେ ବିଜେପି ତା’ର ସମର୍ଥନ ପ୍ରତ୍ୟାହାର କରିନେବା ସହ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରୁ ହଟାଇ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ବିଧାୟକ ମୁକେଶ ରୋଶନଙ୍କ ଏହି ଦାବି ବିହାର ରାଜନୀତିକୁ ଆହୁରି ସରଗରମ କରିଛି ।
ଆରଜେଡିର ଦାବି ଉପରେ ଜେଡିୟୁ ଉତ୍ତର
ଅନ୍ୟପକ୍ଷରେ, ବିହାର ସରକାରଙ୍କ ଜେଡିୟୁ କୋଟାରୁ ମନ୍ତ୍ରୀ ହୋଇଥିବା ଜମା ଖାନ କହିଛନ୍ତି, ଆରଜେଡିର ଦାବି ଭିତ୍ତିହୀନ । ସେ କହିଛନ୍ତି, "ଆରଜେଡି ଷଡ଼ଯନ୍ତ୍ର କରୁଛି । ସେ ଭିତ୍ତିହୀନ ଏବଂ ମନଗଢ଼ା କଥା କହୁଛି । ଆରଜେଡି ବିଜେପି ଏବଂ ଜେଡିୟୁ ମଧ୍ୟରେ ଲଢ଼େଇ କରିବାକୁ ଚାହୁଁଛି । ଫାଟ ସୃଷ୍ଟି କରିବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ ଉପରେ କୌଣସି ଚାପ ପକାଯାଉନାହିଁ ।"
'ବିହାରର ସର୍ବାଙ୍ଗୀନ ବିକାଶ ନୀତିଶଙ୍କ ଉପହାର'
ମନ୍ତ୍ରୀ ଜମା ଖାନ ଆହୁରି କହିଛନ୍ତି, "ଏନଡିଏ କେବଳ ନୀତିଶ କୁମାରଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢ଼ିବ । ଏନଡିଏ ଏକଜୁଟ ରହିଛି । ନୀତିଶ କୁମାରଙ୍କ ଯେଉଁ ଦୃଷ୍ଟିକୋଣ ଅଛି, କାମ କରିବାର ଢଙ୍ଗ ଯାହା ଅନ୍ୟ କାହାରି ନାହିଁ । ବିହାରର ସର୍ବାଙ୍ଗୀନ ବିକାଶ ନୀତିଶ କୁମାରଙ୍କ ଅବଦାନ । ଏନଡିଏର ସମସ୍ତ ଦଳ ଏକାଠି ହୋଇ ବିଧାନସଭା ନିର୍ବାଚନ ଦୃଢ଼ ଭାବରେ ଲଢ଼ିବେ ।"