କନକ ବ୍ୟୁରୋ: ଦୟା ନଦୀର ପ୍ରଦୂଷିତ ପାଣି ପାଇଁ ପୁରୀ ଜିଲ୍ଲାର କଣାସ ଅଞ୍ଚଳରେ ହଇଜା ବ୍ୟାପିଲା । ବର୍ତ୍ତମାନ ପର୍ୟ୍ୟନ୍ତ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ଯାହାର ମୂଖ୍ୟ କାରଣ ଗାଙ୍ଗୁଆ କେନାଲ ଦ୍ଵାରା ଭୁବନେଶ୍ବରର ନାଳ ଓ ନର୍ଦ୍ଦମା ପାଣି ଦୟା ନଦୀକୁ ପ୍ରଦୂଷିତ କରୁଛି ବୋଲି କୁହାଯାଉଛି । ଏଥିସହ ଦୟା ନଦୀର ପ୍ରଦୂଷିତ ପାଣି ମଧ୍ୟ ଚିଲିକାକୁ ପ୍ରଦୂଷିତ କରୁଛି । ତେଣୁ ଗଙ୍ଗୁଆ ଓ ଦୟାକୁ ପ୍ରଦୂଷଣମୁକ୍ତ କରିବାକୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ପ୍ରତିନିଧି ଦଳ ୮ ଦଫା ଦାବି ନେଇ ଆଲୋଚନା କରିଛନ୍ତି । ଓଡ଼ିଶାର ଅଧିକାଂଶ ନଦୀ ଶୋଷଣ, ପ୍ରଦୂଷଣ ଓ ଜବରଦଖଲ ଶିକାର ହୋଇ ମୃତ୍ୟୁ ଅବସ୍ଥାକୁ ଚାଲିଯାଇଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ।
ସେପଟେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଦେଶର ୩୫୧ ପ୍ରଦୂଷିତ ନଦୀ ମଧ୍ୟରେ ଓଡ଼ିଶାର ୧୯ଟି ନଦୀ ରହିଛି । କାଠଯୋଡ଼ି, ଦୟା, ବ୍ରାହ୍ମଣୀ ଓ ମହାନଦୀ ସମେତ ଆଉ କେତେକ ପ୍ରମୁଖ ନଦୀ ଏ ତାଲିକାରେ ରହିଛି । ତେଣୁ ଏବେଠାରୁ ସରକାର ସଚେତନ ହୋଇ ଏହାର ନିରାକରଣ କରିବା ଆବଶ୍ୟକ । ନହେଲେ ଆଗାମୀ ଦିନରେ ପାଣି ବିଷରେ ପରିଣତ ହୋଇଯିବ ବୋଲି କହିଛନ୍ତି ପରିବେଶବିତ ।
ଦିନକୁ ଦିନ ଲୋକ ସଂଖ୍ୟା ବଢୁଛନ୍ତି । ଏହାକୁ ତାଳ ଦେଇ ସହର ଓ କଳ କାରଖାନା ମଧ୍ୟ ବଢୁଛି । ଏହାର ବର୍ଜ୍ୟବସ୍ତୁ ସିଧାସଳଖ ନଦୀ ପାଣିରେ ମିଶୁଛି । ଯାହା ଫଳରେ ନଦୀ ଜଳ ବିଷାକ୍ତ ହେଉଛି । ତେଣୁ ଏବେଠାରୁ ସତର୍କତା ମୂଳକ ପଦକ୍ଷେପ ନେବା ଆବଶ୍ୟକତା ରହିଛି ।