Photograph: (kanak news)
କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଏହି ସମ୍ମିଳନୀର ପ୍ରଥମ ଅଧିବେଶନରେ ଏକ ସ୍ଥାୟୀ ନଦୀ ଅବବାହିକା ପରିଚାଳନାର ଆବଶ୍ୟକତା ଶୀର୍ଷକ ଆଲୋଚନାରେ ସିଟିଜେନ୍ ଫର୍ ଗୁଡ୍ ଗଭର୍ଣ୍ଣାସ୍ର ସଭାପତି ତଥା ପରିବେଶବିତ୍ ଡକ୍ଟର ଅରବିନ୍ଦ ବେହେରା କହିଲେ, ଜଳବାୟୁ ପରିବର୍ତ୍ତନ ନେଇ ବିଶ୍ବରେ ଆଲୋଚନା ଜାରି ରହିଛି।
ଜଳବାୟୁ ପରିବର୍ତ୍ତନ ନେଇ ଗ୍ରୀନ୍ ହାଉସ୍ ଗ୍ୟାସ୍ ସ୍ତର କମାଇବା ଉପରେ ଗୁରୁତ୍ବାରୋପ କରାଯାଉଛି । ତେବେ ଜୈବ ଉତ୍ସ ବଦଳରେ ଅକ୍ଷୟ ଶକ୍ତି ଉତ୍ସ ବ୍ୟବହାର କରାଯିବା ଜରୁରୀ । ଜଳବାୟୁ ପରିବର୍ତ୍ତନ ଆଲୋଚନାରେ ନଦୀ ଉପରେ ବିଶେଷ ଆଲୋଚନା ପ୍ରାୟତଃ ହୋଇ ନଥାଏ । ନଦୀ ରାଜ୍ୟରୁ ରାଜ୍ୟ ଅବା ଦେଶରୁ ଦେଶ ପ୍ରବାହିତ ହୋଇଥାଏ। ରାଜ୍ୟର ୧୧ଟି ନଦୀ ଅବବାହିକା ଆଲୋଚନାର ସ୍ଥିତି ସମ୍ପର୍କରେ ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କ ସହିତ ଆଲୋଚନା କରାଯାଇପାରେ।
ନଦୀର ସ୍ବର ଶୁଣିବାର ଆବଶ୍ୟକତା ରହିଛି । ନଦୀ କ’ଣ କହୁଛି ତାହା ଶୁଣିବା ଜରୁରୀ । ନଦୀ ଆମକୁ କୁହେ, କେବଳ ଆଜି ହିଁ ରହିଛି । କୌଣସି ଆସନ୍ତାକାଲି ନାହିଁ । ଆଜି ହିଁ ଗୁରୁତ୍ବପୂର୍ଣ୍ଣ ।
ଜଳବାୟୁ ପରିବର୍ତ୍ତନ ସହିତ ନଦୀର ଗଭୀର ସମ୍ପର୍କ ରହିଛି । ଓଡ଼ିଶାରେ ନଦୀ ଅବବାହିକା ଉପରେ ବିଚାର କରିବା ଜରୁରୀ । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ । ନଦୀ ଅବବାହିକା ସୁରକ୍ଷାର ବହୁ ସକାରାତ୍ମକ ଦିଗ ରହିଛି ।
ବାହୁଦା ଛୋଟ ନଦୀ ଆବବାହିକା । ରାଜ୍ୟର ଗଞ୍ଜାମ ଜିଲ୍ଳାରେ ଥିବା ଋଷିକୂଲ୍ୟା ଅବବାହିକା ନେଇ ଯୋଜନା ରହିଥିଲା । ମାତ୍ର ଏହା ପରବର୍ତ୍ତୀ ସମୟରେ ଅଟକି ଯାଇଥିଲା । ଲୋକେ ବିକାଶର କଥା କହୁଥିବାବେଳେ ବିକାଶର ଅପରପାର୍ଶ୍ବରେ ବିନାଶ ହିଁ ଘଟିଥାଏ। ନଦୀ ଜୈବ ବିବିଧତାର ଏକ ଅଂଶ । ନଦୀକୁ କେହି ମଣିଷ ତିଆରି କରିନାହିଁ । ମାନବ ସଭ୍ୟତାର ବହୁ ପୂର୍ବରୁ ନଦୀ ପୃଥିବୀରେ ପ୍ରବାହିତ ହେଉଥିଲା । ବିକାଶ ଦ୍ବାରା ଗୋଟିଏ ପଟେ ଆର୍ଥିକ ବିକାଶ ହେଉଥିବାବେଳେ ପରିବେଶର ଅଶେଷ କ୍ଷତି ହୋଇଥାଏ ବୋଲି ସେ କହିଛନ୍ତି ।
Follow Us