କନକବ୍ୟୁରୋ : ନିମ୍ନମାନର କାମ ଯୋଗୁଁ ଧସିଲା ନଦୀବନ୍ଧ । ବୈତରଣୀ ନଦୀର ପ୍ରଖର ସ୍ରୋତରେ ଦଶରଥପୁର ବ୍ଲକ ଅଧିନସ୍ତ କୟାଁ ପଂଚାୟତ ଅନ୍ତର୍ଗତ ଗୁଣ୍ଠୁଣୀପଡା ଗାଁ ନିକଟରେ ପ୍ରାୟ ୫୦୦ ମିଟର ବନ୍ଧ ନଦୀ ଗର୍ଭକୁ ଧସିଯାଇଛି  । ଫଳରେ ସ୍ଥାନୀୟ ଅଂଚଳର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।  ସମୁଦ୍ରର ଜୁଆର ସିଧାସଳଖ ନଦୀକୁ ଆସୁଥିବା ବେଳେ ସେହି ପାଣି ଚାଷଜମିକୁ ମାଡ଼ି ଆସିବାର ଆଶଙ୍କା ରହିଛି ।  ଫଳରେ ସ୍ଥାନୀୟ ଚାଷୀମାନେ ଚିନ୍ତାରେ ଅଛନ୍ତି । ଖବର ପାଇ ଜଳ ସମ୍ପଦ ବିଭାଗର ନିର୍ବାହୀ  ଯନ୍ତ୍ରୀ  ଅନ୍ତର୍ଯ୍ୟାମୀ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ଏଠାରେ ନଦୀ ବନ୍ଧ ନିକଟରୁ ଏକାଧିକ ଥର ଅତଡା ଖସୁଥିବାବେଳେ ଏ ସମ୍ପର୍କରେ ବିଭାଗକୁ ଅବଗତ କରାଯାଇଥିଲା ।

Advertisment

ବନ୍ଧ କାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨ ମାସ ତଳେ  ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ମରାମତି ହୋଇଥିଲା । ହେଲେ ପୁନଶ୍ଚ ସେହିଠାରେ ୫୦୦ ମିଟର ଅତଡ଼ା ଧସି ଯାଇଛି।  ବନ୍ଧର ପ୍ରାୟ ୯୦ ପ୍ରତିଶତ କ୍ଷତି ଗ୍ରସ୍ତ ହୋଇଛି। ବିଭାଗୀୟ ଅଧିକାରୀ ଏବଂ ଠିକାଦାର ମିଳିତ ଭାବେ ନିମ୍ନମାନର କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ଏନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ମହାନ୍ତିଙ୍କ ସହିତ ଯୋଗାଯୋଗ କରାଯାଇଥିବା ବେଳେ ତୁରନ୍ତ ବନ୍ଧ ମରାମତି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ଏକ ସ୍ୱତନ୍ତ୍ର ଟିମ ତଦନ୍ତ କରି ସମ୍ପୃକ୍ତ ଠିକାଦାର ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି କରିଛନ୍ତି  ।