Risky Reels Photograph: (KanakNews)
କନକ ନ୍ୟୁଜ୍ : ବର୍ତ୍ତମାନ ସମୟରେ ମଣିଷ ଯେତେ ଯେତେ ମଡର୍ଣ୍ଣ ହୋଇ ହୋଇ ଯାଉଛି ଟେକ୍ନୋଲଜି ପ୍ରତି ତା’ର ଆଗ୍ରହ ସେତେ ବଢ଼ୁଛି । ବହୁତ ଭଲ କଥା ଆମେରିକା,ଚୀନ୍ ଭଳି ଦେଶ ଯେଉଁଠି ଟେକ୍ନୋଲଜିକୁ ବହୁଳ ମାତ୍ରାରେ ବ୍ୟବହାର କରି ଆଗକୁ ବଢୁଛନ୍ତି ସେଇଠି ଭାରତ ମଧ୍ୟ ବିକାଶ ଆଡ଼କୁ ଅଗ୍ରସର ହେଉଛି । ଯୁବପିଢ଼ି ୯ ରୁ ୫ ଚାକିରି ପଛରେ ଦୌଡ଼ିବା ବଦଳରେ କିମ୍ବା ବ୍ୟବସାୟରେ ଟଙ୍କା ନିବେଶ କରିବା ପରିବର୍ତ୍ତେ ୟୁଟ୍ୟୁବ୍ ଏବଂ ବିଭିନ୍ନ ସୋସିଆଲ୍ ମିଡିଆରେ ଭିଡ଼ିଓ କରି ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି । କିନ୍ତୁ ଏହି ସୋସିଆଲ୍ ମିଡିଆରେ ଫେମସ୍ ହେବାକୁ ନିଅନ୍ତୁ କିମ୍ବା ଭାଇରାଲ୍ ତାଲିକାରେ ଆସିବାକୁ ଚେଷ୍ଟା କରନ୍ତୁ ସବୁକିଛି ପାଇଁ କଠିନ ପରିଶ୍ରମ ଦରକାର । କିନ୍ତୁ ଆଜିକାଲିର ଯୁବସମାଜ ସବୁକିଛି ଶୀଘ୍ର କରିବା ଚକ୍କରରେ ପରିଶ୍ରମକୁ ସେତେଟା ଗୁରୁତ୍ବ ନଦେଇ ବିପଦକୁ ଆଲିଙ୍ଗନ କରିପକାନ୍ତି , ନହେଲେ ଅସାବଧାନତା ଆଡ଼କୁ ଅଗ୍ରସର ହୁଅନ୍ତି । ଯେଉଁଥିପାଇଁ ଅମୂଲ୍ୟ ଜୀବନଟି ନିମିଷକରେ ଚାଲିଯାଏ । ଏଥିପାଇଁ ଇନଷ୍ଟା ରିଲ୍ସ , ୟୁଟ୍ୟୁବ୍ ବ୍ଲଗ୍ ମଧ୍ୟ କିଛିଟା ଦାୟୀ ।
ନିକଟରେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଥିବା ଡୁଡୁମା ଜଳପ୍ରପାତରେ ରିଲ୍ସ ସୁଟ୍ କରୁଥିବା ବେଳେ ଜଣେ ୟୁଟ୍ୟୁବର୍ ଭାସିଯାଇ ନିଖୋଜ ହୋଇଗଲେ । ବ୍ରହ୍ମପୁରର ୨୨ ବର୍ଷୀୟ ସାଗର ଟୁଡୁ ସାଙ୍ଗମାନଙ୍କ ସହ ଅପରାହ୍ନ ସମୟରେ ଡ୍ରୋନ୍ କ୍ୟାମେରା ଧରି ଡୁଡୁମା ଜଳପ୍ରପାତରେ ପହଞ୍ଚି ରିଲ୍ସ ରେକର୍ଡ କରୁଥିଲେ । ସେ ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳର ଭିଡିଓ ରେକର୍ଡ କରନ୍ତି । ଏହି ଉଦ୍ଦେଶ୍ୟରେ ସେ ତାଙ୍କ ସାଙ୍ଗ ଅଭିଜିତ୍ ବେହେରାଙ୍କ ସହ କୋରାପୁଟ ବୁଲିବାକୁ ଆସିଥିଲେ । ରିପୋର୍ଟ ଅନୁସାରେ ସାଗର ଗୋଟିଏ ପଥର ଉପରେ ଛିଡ଼ା ହୋଇଥିବା ବେଳେ ଲମ୍ପଟାପୁଟ ଅଞ୍ଚଳରେ ପ୍ରବଳ ବର୍ଷା ହେବା କାରଣରୁ ମାଛକୁଣ୍ଡ ଡ୍ୟାମରେ ଲୋକଙ୍କୁ ସତର୍କ କରାଇ କର୍ତ୍ତୃପକ୍ଷ ପାଣି ଛାଡ଼ିଥିଲେ । କିନ୍ତୁ ପାଣି ଆସିବାକୁ ନେଇ ଅଜଣା ସାଗର ଫସି ଯାଇଥିଲେ । ପାଣିର ପ୍ରଖର ସ୍ରୋତ ଭିତରେ ସାଗର ଭାରସାମ୍ୟ ରକ୍ଷା ନକରିପାରି କିଛି ସମୟ ଛିଡ଼ା ହେବା ପରେ ଭାସି ଯାଇଥିଲେ । ସେଠାରେ ଉପସ୍ଥିତ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଖବର ପାଇ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ୟୁଟ୍ୟୁବରଙ୍କ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।
ଠିକ୍ ସେହିପରି ବାଙ୍ଗାଲୋରରେ ମଧ୍ୟ ଜଣେ ୨୦ ବର୍ଷୀୟା ଯୁବତୀ ରିଲ୍ସ ନିଶାରେ ୧୩ ମହଲା କୋଠାରୁ ଖସି ପଡ଼ି ଜୀବନ ହାରିଥିଲେ । ପୁଲିସର ରିପୋର୍ଟ ଅନୁସାରେ ପାର୍ଟି କରିବା ପାଇଁ ଯୁବତୀ ଜଣକ ନିଜ ସାଙ୍ଗଙ୍କ ସହ ଏକ ନିର୍ମାଣଧୀନ ବିଲ୍ଡିଂକୁ ଯାଇଥିଲେ କିନ୍ତୁ ପ୍ରେମ ସଂପର୍କକୁ ନେଇ ବିବାଦ ଆରମ୍ଭ ହୋଇଥିଲା ଏବଂ ଯୁବତୀ ଦୁଃଖଭରା ଗୀତରେ ରିଲ୍ କରୁ କରୁ ହଠାତ୍ ୧୩ ମହଲା ଅଟ୍ଟାଳିକା ତଳକୁ ଖସିପଡ଼ିଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
Follow Us