କନକ ବ୍ୟୁରୋ: ପ୍ରବାସୀ ଆସିଲେ, ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ବି ଆସିଲା। ବିଭିନ୍ନ ସଂସ୍ଥା ସହ ଏମଓୟୁ ବି ହେଉଛି। କିନ୍ତୁ ଯେଉଁ ସବୁ ଏମଓୟୁ ହେଉଛି, ତାହା ଆଗାମୀ ଦିନରେ କେତେ ସଫଳ ହେବ, ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ପୂର୍ବରୁ ଦେଖା ଦେଇଛି, ନିବେଶ ପାଇଁ ପୁଞ୍ଜିପତିମାନେ ଚୁକ୍ତି ସ୍ବାକ୍ଷର କରୁଛନ୍ତି  କିନ୍ତୁ ପରବର୍ତ୍ତୀ ସମୟରେ ମୁହଁ ଫେରାଇ ନେଉଛନ୍ତି।

Advertisment
  • ଏମଓୟୁ ହେଲା, ଶିଳ୍ପ ହେବ କି?
  • ସିଙ୍ଗଲୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା କରିବେ କି ସରକାର? 

ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନରୁ ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆସିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ପ୍ରବାସୀ ଭାରତୀୟ ସମ୍ମିଳନୀରେ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ସହ ଭାରତ ସରକାରଙ୍କ ଏମଓୟୁ , ରାଜ୍ୟକୁ ଅଧିକ ପୁଞ୍ଜି ନିବେଶ ଆସିବା ସମ୍ଭାବନାକୁ ଆହୁରି ବଢ଼ାଇ ଦେଇଛି। କିନ୍ତୁ ଏମଓୟୁ ହେଲେ ବି ଶିଳ୍ପ ହେବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ପୂର୍ବରୁ ଅନେକ ବଡ ବଡ କମ୍ପାନୀ ସରକାରଙ୍କ ସହ ଏମଓୟୁ କରିବା ପରେ ଗ୍ରାଉଣ୍ଡକ୍ଲିୟରାନ୍ସରେ ଅସୁବିଧା ଯୋଗୁଁ  ଓଡିଶାରୁ ମୁହଁ ଫେରାଇ ନେଇଛନ୍ତି। ଯାହାଫଳରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷରିତ ହୋଇଥିଲେ ବି ତା ମଧ୍ୟରୁ ଅତି କମ୍ ପରିମାଣର ପୁଞ୍ଜି ନିବେଶ ହୋଇଛି। ତେବେ ପୁଞ୍ଜିନିବେଶକାରୀ ମୁହଁ ଫେରାଇବାର କାରଣ..

  • ଶିଳ୍ପ ଅନୁମୋଦନକୁ ବିଳମ୍ବ
  • ଜମି ଅଧିଗ୍ରହଣରେ ଅସୁବିଧା
  • ଜଙ୍ଗଲ ଓ ପରିବେଶ ଅନୁମତି ନମିଳିବା
  • ଜିଲ୍ଲାସ୍ତରରେ ପ୍ରଶାସନର ଅସହଯୋଗ 

ପୁଞ୍ଜିନିବେଶ ଓ ଶିଳ୍ପ ପ୍ରତିଷ୍ଠା ଯେମିତି ସୁବିଧାରେ ହେବ ସେଥିପାଇଁ ସିଙ୍ଗଲ ୱିଣ୍ଡୋ ସିଷ୍ଟମର ବ୍ୟବସ୍ଥା ଅଛି। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ସିଙ୍ଗଲୱିଣ୍ଡୋ ସିଷ୍ଟମର ଆରମ୍ଭ କରିଥିଲେ। ୨୦୦୪ରୁ ଓଡ଼ିଶା ସରକାର ମଧ୍ୟ ଏହି ସିଙ୍ଗଲୱିଣ୍ଡୋ ସିଷ୍ଟମକୁ ଲାଗୁ କରିଛନ୍ତି। ହେଲେ, ପୂର୍ବ ସରକାରଙ୍କ ଉଦାସିନତା ଯୋଗୁଁ ବହୁ ବଡ ବଡ କମ୍ପାନୀ ଏମଓୟୁ କରି ଫେରି ଯାଇଛନ୍ତି। ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଏଥିପାଇଁ ବାଟ ଫିଟିବ ବୋଲି ଆଶା ରଖିଛନ୍ତି ପ୍ରବାସୀ ଶିଳ୍ପପତି। ତେବେ ପ୍ରବାସୀ ଭାରତୀୟ ସମ୍ମିଳନୀ ପୁଞ୍ଜି ଆଣିବା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

ସୂଚନାଯୋଗ୍ୟ ଯେ, ପ୍ରବାସୀ ଭାରତୀୟ ସମ୍ମିଳନୀ ପରେ ପୁଞ୍ଜି ଆଣିବା ପାଇଁ ଆଗକୁ ଉତ୍କର୍ଷ ଆୟୋଜନ କରିବେ ରାଜ୍ୟ ସରକାର।  ତେବେ ଉତ୍କର୍ଷରେ କେତେ ପୁଞ୍ଜି ନିବେଶ ପାଇଁ ଏମଓୟୁ ହେଉଛି? ଏମଓୟୁ ପରେ ଶିଳ୍ପ ସ୍ଥାପନ ପାଇଁ ସରକାର କି ସୁଯୋଗ ଯୋଗାଇ ଦେଉଛନ୍ତି ତା ଉପରେ ନଜର।