କନକ ବ୍ୟୁରୋ : ବଢୁଛି ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ଜଳସ୍ତର ବୃଦ୍ଧି ପାଇ ୬.୩୭ ମିଟରରେ ପ୍ରବାହିତ ହେଉଛି । ଗତ ଦୁଇ ଦିନ ଧରି ବସ୍ତା ସମେତ ନଦୀର ଉପରମୁଣ୍ଡ ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବଢୁଥିବା କୁହାଯାଉଛି ।

Advertisment

ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହେବର ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ ତାହା ହେଲେ ବସ୍ତା ବ୍ଲକର ୧୦ ପଞ୍ଚାୟତ ଏବଂ ସଦର ବ୍ଲକର ୨ ଟି ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଥିବାରୁ ଭୟଭୀତ ହୋଇପଡିଛନ୍ତି କୁଳିଆ ଅଞ୍ଚଳର ଲୋକେ ।

ସେପଟେ ଆଜି ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି । ହୀରାକୁଦ ଡ୍ୟାମର ୨୦ଟି ଗେଟ ଦେଇ ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି କଟକ ମୁଣ୍ଡଳିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ହୀରାକୁଦ ଡ୍ୟାମ୍‌ର ବାମପଟରେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୦୮ ଦଶମିକ ୦୪ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୩୩ ହଜାର ୮୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୩୨ ହଜାର ୪୯୧ କ୍ୟୁସେକ୍ ଜଳ । ସ୍ପିଲ୍‌ୱେ ପାଇଁ ୨ ଲକ୍ଷ ୯୪ ହଜାର ୩୦୦ କ୍ୟୁସେକ୍ ପାଣି ଯାଉଥିବା ବେଳେ ପାୱାର ଚ୍ୟାନେଲ ପାଇଁ ୩୪ ହଜାର ୯୫୬ କ୍ୟୁସେକ୍ ପାଣି ଛଡ଼ାଯାଉଛି । ହୀରାକୁଦ ନଦୀବନ୍ଧରେ ମୋଟ୍‌ ୯୮ଟି ଗେଟ୍ ରହିଛି । ଏଥିରୁ ୬୪ଟି ସ୍ଲୁଇସ୍ ଗେଟ୍‌ ଓ ୩୪ଟି କ୍ରେଷ୍ଟ ଗେଟ୍‌ ରହିଛି । ହୀରାକୁଦ ନଦୀବନ୍ଧରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ।