କନକ ବ୍ୟୁରୋ: ରାଜ୍ୟରେ କେତେ ସୁରକ୍ଷିତ ନାବାଳିକା । ପ୍ରତିଦିନ କୌଣସି ନା କୌଣସି ଘଟଣା ସାମ୍ନାକୁ ଆସୁଛି । ନାବାଳିକାଙ୍କ ପ୍ରତି ବଢ଼ୁଥିବା ବିପଦ ଭିତରେ ହାଇକୋର୍ଟ ହସ୍ତକ୍ଷେପ କରିଛନ୍ତି । ହାଇକୋର୍ଟଙ୍କ ଜୁଭେଲନାଇଟ୍ ଜଷ୍ଟିସ କମିଟି ପକ୍ଷରୁ ପ୍ରତି ଜିଲ୍ଲା ଜଜ୍ କୋର୍ଟଙ୍କୁ ଚିଠି ଲେଖି ପରାମର୍ଶ ଲୋଡ଼ିଛନ୍ତି ।

Advertisment

ରାଜ୍ୟରେ କ୍ରମାଗତ ଭାବେ ନାବାଳିକାଙ୍କ ପ୍ରତି ନିର୍ଯାତନା ବଢ଼ିଚାଲିଛି । ସ୍କୁଲ, କଲେଜ, ଘରେ କିମ୍ବା ପାଖ ପଡ଼ିଶାରେ ବିପଦ ବଢୁଛି। ତେଣୁ ୧୮ ବର୍ଷରୁ କମ୍ ଝିଅମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ଅନୁଭବ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଏଥିପାଇଁ ହାଇକୋର୍ଟଙ୍କ ଜୁଭେନାଇଲ ଜଷ୍ଟିସ କମିଟି ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ଜଜ୍‌ କୋର୍ଟଙ୍କୁ ଚିଠି ଲେଖି ପ୍ରସ୍ତାବ ଓ ପରାମର୍ଶ ଆହ୍ୱାନ କରାଯାଇଛି । 

ହାଇକୋର୍ଟ ଲେଖିଛନ୍ତି 

ଜିଲ୍ଲା ଜଜ୍ କୋର୍ଟ ପକ୍ଷରୁ ସେମାନଙ୍କ ଅଞ୍ଚଳର ବୁଦ୍ଧିଜୀବୀ ଓ ବିଶେଷଜ୍ଞଙ୍କୁ ଡାକି ବୈଠକ କରାଯିବ
ନାବାଳିକାଙ୍କ ପାଇଁ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାକୁ କ'ଣ ପଦକ୍ଷେପ ନିଆଯିବ ପ୍ରସ୍ତାବ ମାଗିବେ
ବୈଠକରେ ଯାହା ନିଷ୍କର୍ଷ ବାହାରିବ, ତାକୁ ହାଇକୋର୍ଟଙ୍କୁ ପ୍ରଦାନ କରିବେ ଜିଲ୍ଲା ଜଜ୍ କୋର୍ଟ
ଜିଲ୍ଲାସ୍ତରରୁ ଆସିଥିବା ପ୍ରସ୍ତାବକୁ ଏକାଠି କରି ଏକ ରିପୋର୍ଟ ସରକାରଙ୍କୁ ଦେବେ ହାଇକୋର୍ଟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟକୁ ଉଦ୍ଧାର କରି, ହାଇକୋର୍ଟ ତାଙ୍କ ଚିଠିରେ ଝିଅମାନେ ସାମ୍ନା କରୁଥିବା ଅତ୍ୟାଚାର ଓ ହିଂସାର ଉଦାହରଣ ଦେଇଛନ୍ତି । 

ଅନେକ ସମୟରେ ଝିଅମାନେ ତାଙ୍କ ସହ ଘଟୁଥିବା ନିର୍ଯାତନା କଥା ପ୍ରଘଟ କରନ୍ତି ନାହିଁ
ବିଶ୍ୱରେ ପ୍ରତି ୪ ଜଣରେ ୩ ଜଣ ପିଲା ନିକଟ ସମ୍ପର୍କୀୟଙ୍କ ଦ୍ୱାରା ନିର୍ଯାତିତ ହୋଇଥାନ୍ତି
ବିଶ୍ୱବ୍ୟାପୀ ୧୫ରୁ ୧୯ ବର୍ଷର ପ୍ରାୟ ୧୫୦୦ କୋଟି ଝିଅ ଯୌନ ନିର୍ଯାତନାର ଶିକାର
୮୬ ପ୍ରତିଶତ ପିଲା ଶିକ୍ଷକ କିମ୍ବା ଅଭିଭାବକଙ୍କ ଦ୍ୱାରା ମାଡ଼ର ଶିକାର ହେଉଛନ୍ତି
ଜାତୀୟସ୍ତରରେ ମଧ୍ୟ ଝିଅମାନେ ଅସୁରକ୍ଷିତ ହୋଇପଡ଼ିଥିବା ଚିଠିରେ ଉଲ୍ଲେଖ ରହିଛି

କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି ନକରି, ଜିଲ୍ଲା ଜଜ୍ କୋର୍ଟ ବିଶେଷଜ୍ଞ ଓ ବୁଦ୍ଧିଜୀବୀଙ୍କୁ ନେଇ ବୈଠକ କରିବା ପରେ ଅଗଷ୍ଟ ୩୦ ତାରିଖ ସୁଦ୍ଧା ସେମାନଙ୍କ ରିପୋର୍ଟକୁ ହାଇକୋର୍ଟଙ୍କ ନିକଟକୁ ପଠାଇବାକୁ କୁହାଯାଇଛି ।