କନକ ବ୍ୟୁରୋ: ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଡେଟିଂ ଆପ୍ ବେଶ ଲୋକପ୍ରିୟତା ହାସଲ କରିଛି । ଡିଜିଟାଲ୍ ଯୁଗରେ ମନଲାଖି ସାଥିଟିଏ ଖୋଜିବାକୁ ଡେଟିଂ ଆପ୍ ହିଁ ଜରିଆ ସାଜିଛି । ସାଥି ଖୋଜିବା ଏ ଆପ୍ ଯେତେ ସହଜ କରିଛି, ସେତେ ବିପଦ ମଧ୍ୟ ବଢ଼ିଛି । ଟିଣ୍ଡର, କ୍ୱାକ୍କ୍ୱାକ୍ ଭଳି ଆପ୍ରେ ଅନେକ ଯୁବବର୍ଗ ଠକାମୀର ଶିକାର ବି ହେଉଛନ୍ତି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ଏଭଳି ଏକ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଡେଟ୍ରେ ଯାଇ ଜଣେ ଯୁବକଙ୍କୁ ୫୦ ହଜାର ଟଙ୍କା ଗଣିବାକୁ ପଡ଼ିଛି । ଏଣୁ ବର୍ତ୍ତମାନ ଡେଟ୍ରେ ଯାଉଥିଲେ ସାବଧାନ ରହିବାକୁ ସୋସିଆଲ ମିଡିଆ ୟୁଜର୍ସ ଆଲୋଚନା କଲେଣି ।
ଠକେଇର ଶିକାର ହେବା ପରେ ଜଣେ ଯୁବକ ଏହାକୁ ନେଇ ରେଡିଟ୍ରେ ସେୟାର କରିଥିଲେ । ଯୁବକଙ୍କ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାପରେ ଏହାକୁ ନେଇ ଅନେକ ଲୋକ ରିଆକ୍ଟ କରିଛନ୍ତି । ଯୁବକ ଜଣକ ନିଜ ସୋସିଆଲ ମିଡିଆ ପୋଷ୍ଟ୍ରେ କହିଛନ୍ତି ଯେ ଟିଣ୍ଡର ଆପ୍ ଜରିଆରେ ସେ ଜଣେ ଯୁବତୀଙ୍କ ସହ ତାଙ୍କ ପରିଚୟ ହୋଇଥିଲା । କିଛିଦିନ କଥାବାର୍ତ୍ତା ହେବାପରେ ଉଭୟ ପରସ୍ପରକୁ ଭେଟିବାକୁ ସ୍ଥିର କଲେ । ଯୁବତୀଙ୍କ କହିବା ମୁତାବକ ସ୍ଥାନୀୟ ଏକ କାଫେରେ ଉଭୟ ଭେଟିବାକୁ ନିଷ୍ପତ୍ତି ନେଇଥିଲେ । ଏହି କାଫେଟି ଦିଲ୍ଲୀର କଡ଼କଡ଼ଡୁମା ଅଞ୍ଚଳରେ ରହିଛି । ଯେଉଁଠି ଠକେଇର ଶିକାର ପାଲଟିଗଲେ ଯୁବକ ଜଣକ ।
ୟୁଜର ଜଣକ କହିଛନ୍ତି ଯେ ସେ ଯୁବତୀଙ୍କୁ ଭେଟିଥିଲେ ସତ, କିନ୍ତୁ ଏହା ଏକ ଠକେଇ ଟ୍ରାପ୍ ଥିଲା । କାରଣ କାଫେରେ ୱେଟର୍ ଜଣକ ତାଙ୍କୁ ଠିକ୍ ତରିକାରେ ମେନୁ ଦେଖାଉନଥିଲେ । ଯୁବକ ଜଣକ ଅଭିଯୋଗ କରିଛନ୍ତି ଯେ, ମେନୁ ଦେଖାଇବା ବଦଳରେ କାଫେରେ ତାଙ୍କୁ ମହଙ୍ଗା ମହଙ୍ଗା ଖାଇବା ପରଶି ଦିଆଗଲା । ଏହାପରେ ଯୁବକଙ୍କୁ ୫୦ ହଜାର ଟଙ୍କାର ବିଲ୍ ଧରାଇ ଦିଆଗଲା । ବାଧ୍ୟ ହୋଇ ଶେଷରେ ଯୁବକ ଜଣକ ୫୦ ହଜାର ଟଙ୍କା ବିଲ୍ ଦେଇ ଘରକୁ ଫେରିଛନ୍ତି ।
ଯୁବକଙ୍କ ସହ ଏଭଲି ଏକ ଘଟଣା ପରେ ଯେଉଁମାନେ ବି ଅନ୍ଲାଇନ୍ ଡେଟିଂ ଆପ୍ ଜରିଆରେ ଡେଟ୍ ଯାଉଛନ୍ତି ସେମାନଙ୍କୁ ସାବଧାନ ରହିବାକୁ କହିଛନ୍ତି । ବିଶେଷ କରି ଯଦି କେହି ଯୁବତୀ ବା ଯୁବକ ଅଜଣା କାଫେ କିମ୍ବା ରେଷ୍ଟୁରାଣ୍ଟ୍କୁ ଦେଖା କରିବାକୁ ଡାକିଲେ ବିଶେଷ ଧ୍ୟାନ ଦିଅନ୍ତୁ । ଯେଉଁ କାଫେକୁ ଯାଉଛନ୍ତି ତାହାର ରିଭ୍ୟୁ ଦେଖି ନିଅନ୍ତୁ ଯାହାଦ୍ୱାରା ଯୁବକଙ୍କ ଭଳି ଠକେଇର ଶିକାର ହେବାରୁ ବର୍ତ୍ତି ପାରିବେ ଲୋକେ ।
ତେବେ ଏ ଗୋଟିଏ ଘଟଣା ନୁହେଁ ଯୁବକ ଜଣକ ନିଜର ଅନୁଭୁତି ସେୟାର କରିବା ପରେ ଜଣେ କୋଲକାତାର ଯୁବକଙ୍କ ସହ ଏମିତି ହିଁ ଘଟିଥିବା କଥା କହିଛନ୍ତି । ଏଠାରେ ଯୁବକ ଜଣକ ଅର୍ଡର କରିନଥିବା ଖାଦ୍ୟ ମଧ୍ୟ ବିଲ୍ରେ ଯୋଡ଼ି ଦିଆଯାଇଥିଲା । ଏହି ଘଟଣାକୁ ନେଇ ଏବେ କୋର୍ଟରେ ମାମଲା ଚାଲିଛି ।