କନକ ବ୍ୟୁରୋ: ରାଜ୍ୟରେ ପ୍ରଦୂଷଣ ମାତ୍ରା ଉପର ମୁହାଁ । ଖଣି ଖାଦାନ ଭରା ଜିଲ୍ଲା କଥା ଛାଡ଼ନ୍ତୁ ଅନ୍ୟ ଜିଲ୍ଲାରେ ବି ପ୍ରଦୂଷଣ ମାତ୍ରା କିଛି କମ୍‌ ନୁହେଁ । କ୍ରମାଗତ ଭାବେ ଆମେ ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଅନୁଗୁଳର ପ୍ରଦୂଷିତ ଅଞ୍ଚଳର ଦୃଶ୍ୟ ଦେଖିଛେ । କେମିତି ଗଛପତ୍ରଠୁ ଆରମ୍ଭ କରି ପୋଖରୀ ଗାଡ଼ିଆ ସବୁ ଦୂଷିତ ହେଉଛି ତାରା ରିପୋର୍ଟ ମାଧ୍ୟମରେ ଆପଣମାନେ ଜାଣିଛନ୍ତି । ଆଜି ଦେଖିବା ବରଗଡ଼ର ଚିତ୍ର । ସହରକୁ ପ୍ରଦୂଷିତ କରୁଛି କିଏ? କେମିତି ଜହର ପାଲଟିଗଲାଣି ପାଣିଠୁ ପବନ ।  

Advertisment

ଏହା ବି ପଢ଼ନ୍ତୁ: ନିଶା କବଳରେ ଓଡ଼ିଶା, ରାଜ୍ୟରେ ବଢ଼ୁଛି ମଦ ବିକ୍ରି

ମାଟିରେ ପଡ଼ୁଥିବା ପାଉଁଶ ଆଉ ପାଣିରେ ମିଶୁଥିବା ବିଷାକ୍ତ କେମିକାଲ ସହର ଓ ଗାଁରେ ବୁଣୁଛି ମାରାତ୍ମକ ରୋଗ । ଯେଉଁଠି ଇଚ୍ଛା ସେଇଠି ପକାଉଛନ୍ତି ପାଉଁଶ । ବିନା ଟ୍ରିଟମେଣ୍ଟରେ ନାଳ ଓ କେନାଲକୁ ଛାଡ଼ୁଛନ୍ତି ବିଷାକ୍ତ ଜଳ । ଯାହାଫଳରେ ଜୀବନ ଦୁର୍ବିସହ ହୋଇପଡ଼ିଛି । ଗାଁ ଗାଁକୁ ରୋଗ ବ୍ୟାପୁଛି । ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ବାରମ୍ବାର ଗସ୍ତ କରି ବିଭିନ୍ନ ରାଇସ ମିଲକୁ ତାଗିତ କରିବା ସହ କାରଣ ଦର୍ଶାଅ ନୋଟିସ ମଧ୍ୟ କରୁଛି, କିନ୍ତୁ ସ୍ଥିତି ସୁଧୁରୁନି । 

ଗତ ୨୩ ତାରିଖରେ ଭୋଇପାଲି ସରଣ୍ଡାରେ ଥିବା ମାଆ ସମଲେଶ୍ବରୀ ଉଦ୍ୟୋଗର ଟ୍ରିଟମେଣ୍ଟ ପ୍ଲାଣ୍ଟ ଠିକ ନଥିବାରୁ ଏବଂ ବେଆଇନ ଭାବେ ଆସ୍ ଡମ୍ପିଂ କରୁଥିବାରୁ ମିଲକୁ ନୋଟିସ କରି ୧୫ ଦିନ ମଧ୍ୟରେ ଜବାବ ଦେବାକୁ କହିଛି ଆଞ୍ଚଳିକ ପ୍ରଦୂଷଣ ବୋର୍ଡ । ଏନ୍‌ଏଚ୍‌-୬ ପାର୍ଶ୍ୱରେ ଆସ୍ ଡମ୍ପିଂ କରୁଥିବାରୁ ମିଲ୍ ମାଲିକଙ୍କୁ ତାଗିଦ କରିଛି ବୋର୍ଡ । ସେହିପରି ଧାଙ୍ଗେରରେ ଥିବା ଶ୍ରୀକ୍ରିଷ୍ଣା ଫୁଡ୍ସ, ବରଗଡ଼ର ଶ୍ରୀକ୍ରିଷ୍ଣା ସଲଭେଣ୍ଟ ଏକ୍ସଟ୍ରାକ୍ସନ, କ୍ରିଷ୍ଣା ଟେକ୍ସଟାଇଲ୍ସ, ନବଦାନ୍ୟ ଫୁଡ୍ସ, ବରଗଡ଼ ନାଗେନପାଳିରେ ଥିବା ଓମ୍ ଫୁଡ୍‌ ପ୍ରଡକ୍ଟସ, ଭୋଇପାଳିରେ ଥିବା ବାଲାଜୀ ଏଗ୍ରୋ ଫୁଡ୍ସ, ରେଙ୍ଗାଲି କ୍ୟାମ୍ପରେ ଥିବା ବିଜୟଲକ୍ଷ୍ମୀ ରାଇସ୍‌ ମିଲ୍‌, ବରାହଗୁଡ଼ାରେ ଥିବା ଶଙ୍କର ରାଇସ୍‌ ଇଣ୍ଡଷ୍ଟ୍ରିଜକୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି ।

ଏହି ସଂସ୍ଥା ଗୁଡ଼ିକ ସର୍ବସାଧାରଣରେ ଆସ୍ ଡମ୍ପିଂ କରିବା ସହ ବିନା ଟ୍ରିଟମେଣ୍ଟରେ ବିଷାକ୍ତ ପାଣି ଛାଡ଼ୁଛନ୍ତି । ଏମିତିକି କିଛି ସଂସ୍ଥାର ଟ୍ରିଟମେଣ୍ଟ ପ୍ଲାଣ୍ଟ ଅଚଳ ହୋଇପଡ଼ିଥିବା ଚିଠି ଗୁଡ଼ିକରେ ଉଲ୍ଲେଖ କରିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏପଟେ ଏମିତି କିଛି ନଜରକୁ ଆସିଲେ ଆକ୍ସନ ନିଆଯିବ ବୋଲି କହିଛନ୍ତି ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ । କେବଳ ନୋଟିସରେ ସୀମିତ ରହିଯାଉଛି ଆକ୍ସନ । ପ୍ରଦୂଷଣ ନିୟମର ଧଜ୍ଜିଆ ଉଡ଼ାଉଥିବା ରାଇସ ମିଲ ଗୁଡ଼ିକ ବେଖାତିର ଭାବେ ପରିବେଶକୁ ନଷ୍ଟ କରିଚାଲିଛନ୍ତି ।