କନକ ବ୍ୟୁରୋ : ନବକଳେବର ହେଲା, ସମସ୍ୟା ସୁଧୁରିଲାନି। ଶବ ଦାହ ପାଇଁ ନିଅଣ୍ଟ ପଡୁଛି ପିଣ୍ଡି। ସରକାରୀ ଜାଗା ଥାଇ ହେଉନି ସଂପ୍ରସାରଣ। ଗତ କିଛି ଦିନ ଧରି ସ୍ୱର୍ଗଦ୍ୱାରକୁ ଆସୁଛି ଶବ ସତ୍କାର ପାଇଁ ରେକର୍ଡ ସଂଖ୍ୟକ ଶବ। ପିଣ୍ଡି ନ ମିଳୁବାରୁ ହନ୍ତସନ୍ତ ହେଉଛନ୍ତି ଅତ୍ମୀୟସ୍ବଜନ। ଆଗକୁ ବିକଳ୍ପ ବ୍ୟବସ୍ଥା ଚିନ୍ତା ନ କଲେ ପରିସ୍ଥିତି ହେବ ଜଟିଳ । ଆସ୍ଥା ଓ ବିଶ୍ବାସର ସହ ଶବ ଦାହ ପାଇଁ ସ୍ବର୍ଗଦ୍ବାରକୁ ଛୁଟି ଆସୁଛନ୍ତି ମୃତକଙ୍କ ପରିଜନ। ଦିନକୁ ଦିନ ବଢ଼ିବାରେ ଲାଗିଛି ଶବ ସଂଖ୍ୟା। ଗତ କିଛି ଦିନ ଭିତରେ ସ୍ବର୍ଗଦ୍ବାରରେ ହୋଇଛି ରେକର୍ଡ ସଂଖ୍ୟକ ଶବ ସତ୍କାର। ଏପରିକି ସ୍ବର୍ଗଦ୍ବାରରେ ଦିନକରେ ଶବଦାହ ସଂଖ୍ୟା ୧୪୦ ଛୁଇଁଲାଣି। କିନ୍ତୁ ସ୍ବର୍ଗଦ୍ବାରରେ ରହିଛି ମାତ୍ର ୨୮ଟି ପିଣ୍ଡି । ଯାହା ଫଳରେ ଶବ ଦାହ ପାଇଁ ପିଣ୍ଡି ଅଣ୍ଟୁନି। ଏଣେ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ସହାୟତା ରାଶି ୩ ହଜାରରୁ ୪ ହଜାର ଟଙ୍କାକୁ ବଢ଼ାଇ ଦେବା ପରେ ସ୍ବର୍ଗଦ୍ବାରକୁ ଶବ ଆଗମନ ବଢ଼ିବାରେ ଲାଗିଛି। କିନ୍ତୁ ଶବ ଦାହ କରିବାକୁ ଟୋକନ ଧରି ପିଣ୍ଡି ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି।
ଅଧିକ ପଢ଼ନ୍ତୁ : ଆହାର କେନ୍ଦ୍ରରେ ଅଜବ ସ୍ଥିତି : ୫ ଟଙ୍କା ନୁହେଁ ଦେବାକୁ ପଡୁଛି ୧୦ ଟଙ୍କା
୩ ବର୍ଷ ତଳେ ସ୍ବର୍ଗଦ୍ବାରର ନବକଳେବର ବେଳେ ଦୈନିକ ୪୦ଟି ଶବ ଆସିବା ନେଇ ଭିତ୍ତିଭୂମି ନିର୍ମାଣ ହୋଇଥିଲା। ଧିରେ ଧିରେ ଶବ ସଂଖ୍ୟା ୭୦-୮୦କୁ ବୃଦ୍ଧି ପାଇଲା। ଏବେ ଦେଢ଼ ଶହ ପାଖାପାଖି ହେଲାଣି। ତେଣୁ ବେଳ ଥାଉଥାଉ ବିକଳ୍ପ ଚିନ୍ତା ନକଲେ ଶବଦାହ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। କେବଳ ସେତିକି ନୁହେଁ, ସ୍ବତନ୍ତ୍ର ଶୌଚାଳୟର ଆବଶ୍ୟକତା ଅଛି। କିନ୍ତୁ କରାଯାଉନାହିଁ। ପିଣ୍ଡି ସଂପ୍ରସାରଣର ଆବଶ୍ୟକତା ରହିଛି। ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଆଉ ବ୍ରାହ୍ମଣ ନିଯୁକ୍ତି ନେଇ ରିଜୋଲ୍ୟୁସନ ହୋଇସାରିଛି ଏବଂ ଖୁବ ଶୀଘ୍ର ଏ ସମସ୍ତ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଅଧିକାରୀ। ସେପଟେ ଶବ ଦାହ ପାଇଁ ଆବଶ୍ୟକ ପଡୁଥିବା କାଠ ଯୋଗାଣ କମିବାରେ ଲାଗିଛି। କମ୍ ଦିନ ଭିତରେ ସ୍ବର୍ଗଦ୍ବାରକୁ ଆବଶ୍ୟକତା ଅନୁସାରେ ଆଉ କାଠ ଯୋଗାଇ ନହେବା ଆଶଙ୍କା ପ୍ରକାଶ ପାଇଛି। ଆଗକୁ ଶବ ସଂଖ୍ୟା କମିବନି ବରଂ ବଢ଼ିବ। ଏଣୁ ସମସ୍ୟା ବି ଉତ୍କଟ ହେବ। ଉଭୟ କାଠର ବିକଳ୍ପ ଓ ପିଣ୍ଡି ସଂଖ୍ୟା ବୃଦ୍ଧିର ଆବଶ୍ୟକତା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/2a-2026-02-13-19-22-13.jpg)