କନକ ବ୍ୟୁରୋ: ପୁରୀ କଣାସରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି ସ୍ଥିତି । ହଇଜାରେ ବେସରକାରୀ ସ୍ତରରେ ମୃତ୍ୟୁ ସଂଖ୍ୟା ୩ ଥିବାବେଳେ ସରକାରଙ୍କ ହିସାବରେ କେବଳ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ଏପରି ସମୟରେ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି ମୋଟ ୮ଟି ଟିମ। ସରକାରଙ୍କ ପକ୍ଷରୁ ନଦୀଘାଟକୁ ବିଶୋଧନ କରାଯିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସେପଟେ ଏହାକୁ ନେଇ ଦୋଷ ଲଦାଲଦି ହୋଇଛନ୍ତି ବିଜେଡ଼ି-ବିଜେପି।
- କଣାସରେ ଅଣାୟତ୍ତ ଝାଡ଼ାବାନ୍ତି
- ବ୍ୟାକ୍ଟେରିଆ ପାଇଁ ବାହାଘର ଭୋଜି ବନ୍ଦ
ପୁରୀ କଣାସରେ ଝାଡାବାନ୍ତି ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ବେସରକାରୀ ସ୍ତରରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସରକାରୀ ହିସାବରେ ଡାଇରିଆରେ ଜଣକ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ମୃତକଙ୍କ ସ୍ୱାସ୍ଥ୍ୟ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଡାଇରିଆ ସଂକ୍ରମିତ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷାରୁ ଇ-କୋଲି ବ୍ୟାକ୍ଟେରିଆ ଚିହ୍ନଟ ହୋଇଥିବା କହିଛି ସ୍ୱାସ୍ଥ୍ୟ ବିଭାଗ। ଭୁବନେଶ୍ଵରରୁ ୨ଟି ଟିମ ସହିତ ସ୍ୱାସ୍ଥ୍ୟ ବିଭାଗର ମୋଟ ୮ଟି ଟିମ ଗ୍ରାଉଣ୍ଡରେ ନିୟୋଜିତ ରହିଛନ୍ତି। ନଦୀର ସବୁ ଘାଟକୁ ସୁପର କ୍ଲୋରିନେସନ୍ ବା ବିଶୋଧନ କରାଯାଉଛି। ୫ଟି ଗାଁରେ ଏହି ରୋଗ ବ୍ୟାପିଛି, ସରକାରଙ୍କ ତରଫରୁ ଗାଁ ଗାଁରେ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ କରାଯାଉଛି। ସେପଟେ ପୁରୀ ଜିଲ୍ଲାପାଳ ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
- ଡାଇରିଆକୁ ନେଇ ତେଜିଲା ରାଜନୀତି
- ବିଜେଡି-ବିଜେପି ଦୋଷ ଲଦାଲଦି
କଣାସରେ ଡାଇରିଆ ଗାଁରୁ ଗାଁକୁ ବ୍ୟାପୁଥିବା ସମୟରେ ତେଜିଛି କାଦୁଅ ଫିଙ୍ଗା ରାଜନୀତି। ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପିଇବା ପାଣି ମିଳୁନାହିଁ, ଗାଁରେ ଆମ୍ବୁଲାନ୍ସ ପହଞ୍ଚୁନଥିବା ବେଳେ ମେଡ଼ିକାଲରେ ତାଲା ଝୁଲୁଛି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ବୋଲି ବିଜେଡ଼ି ପ୍ରଶ୍ନ କରିଛି। ସେପଟେ ଏହାର ଜବାବ ରଖିବାକୁ ଯାଇ ବିଜେଡ଼ି ଅମଳରେ ଜଳଯୋଗାଣରେ ବ୍ୟାପକ ଅନିୟମିତତା ହୋଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ରବି ନାୟକ।
ଝାଡ଼ାବାନ୍ତି ବ୍ୟାପିବା ପଛରେ ସ୍ଥାନୀୟ ଲୋକଙ୍କ ସଚେତନତାର ଅଭାବକୁ ଦାୟୀ କରୁଛି ପ୍ରଶାସନ। ଆଉ ଏଭଳି ସ୍ଥିତିରେ କଣାସ ଦୋକନ୍ଦା ଗାଁରେ ପ୍ରଶାସନର ଉପସ୍ଥିତିରେ ସଂକ୍ରମଣ ରୋକିବାକୁ ଏକ ବାହାଘର ଭୋଜି ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି।