କନକ ବ୍ୟୁରୋ: ଆଇପିଏଲରେ ଚାଲିଛି ଜୋରଦାର ଲଢେଇ । କିଏ ଯିବ ପ୍ଲେଅଫ ତାକୁ ନେଇ ଆରମ୍ଭ ହେଲାଣି ଅଙ୍କ କଷା । ଏହାରି ଭିତରେ ଲକ୍ଷ୍ନୌ ଟିମ ଆଉ ତାର କ୍ୟାପଟେନ୍ ବେଶ ଚର୍ଚ୍ଚାରେ ରହିଛନ୍ତି । କାରଣ ସବୁଠାରୁ ଅଧିକ ଟଙ୍କା ଦେଇ ଲକ୍ଷ୍ନୌ କିଣିଥିବା ଅଧିନାୟକ ଫ୍ଲପ ଶୋ ଦେଖାଉଛନ୍ତି ।

Advertisment

ଯେଉଁଥିପାଇଁ ଦଳ ଧିରେ ଧିରେ ପ୍ଲେଅଫ ଦୌଡ଼ରୁ ପଛରେ ପଡ଼ିଯିବାର ନଜର ଆସୁଛନ୍ତି । ନା ଚାଲୁଛି ରିଷଭ ପନ୍ତଙ୍କ ବ୍ୟାଟ୍ ନା କାମ କରୁଛି ତାଙ୍କ କ୍ୟାପଟେନ୍ସି । ସବୁଥିରେ ରିଷଭ ଫ୍ଲପ ଥିବା ଦେଖିବାକୁ ମିଳୁଛି । ଅର୍ଥାତ ପନ୍ତ ଯେତିକି ଟଙ୍କାରେ କିଣା ହୋଇଛନ୍ତି ସେତିକି ଟଙ୍କାର ଖେଳ ବି ଖେଳୁ ନାହାନ୍ତି ।

ପନ୍ତ କେବଳ ଚେନ୍ନାଇ ବିପକ୍ଷ ମ୍ୟାଚରେ ୬୩ ରନ କରିଥିଲେ ହେଲେ ଆଉ ସବୁ ମ୍ୟାଚରେ ୦, ୧୫, ୨, ୨, ୨୧, ୩ ,୦, ୪ ରନ କରି ପାଭିଲିୟନ ଫେରିଛନ୍ତି । କହିବାକୁ ଗଲେ ସେ ମୋଟ ୯ଟି ମ୍ୟାଚ ଖେଳି ମାତ୍ର ୧୧୦ ରନ କରିଛନ୍ତି । ଦିଲ୍ଲୀ ପକ୍ଷରୁ ସେ ସର୍ବାଧିକ ଥର ଶୂନରେ ଆଉଟ ହୋଇଥିବା ଖେଳାଳି । ଦଳରେ ତାଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟ୍ସମ୍ୟାନ ଭଲ ଫର୍ମରେ ରହିଛନ୍ତି । ନିକୋଲାସ ପୂରଣ, ମିଚେଲ ମାର୍ଶ, ଏଡେନ ମାରକ୍ରାମଙ୍କ ପାଇଁ ଦଳ ଭଲ ସ୍ଥିତିରେ ରହିଛି । ହେଲେ କ୍ୟାପଟେନଙ୍କ ଫ୍ଲପ ଶୋରେ ନିରାଶ ହୋଇଗଲେଣି ଫ୍ୟାନ । 

ସେହିପରି ତାଙ୍କ କ୍ୟାପ୍ଟେନ୍ସିକୁ ନେଇ ବି ପ୍ରଶ୍ନ ଉଠୁଛି । ଗତ ମ୍ୟାଚରେ ଯେଉଁଠି ଲକ୍ଷ୍ନୌକୁ ଦ୍ରୁତ ରନର ଆବଶ୍ୟକତା ରହିଥିଲା ସେଠି ରିଷଭ ବହୁତ ପଛରେ ବ୍ୟାଟିଂ ଆସିଥିଲେ । ଆଉ ଏକ ଖାମଖିଆଲ ସଟ୍ ଖେଳି ଆଉଟ ହୋଇଯାଇଥିଲେ । ୨୭ କୋଟି ଟଙ୍କାର ଖେଳାଳି ପୁଣି ଦଳର କମାଣ ସମ୍ଭାଳିଥିବା କ୍ୟାପଟେନ ଯେତେବେଳେ ଏଭଳି ସଟ୍ ଖେଳି ଆଉଟ ହୁଅନ୍ତି ସେତେବେଳେ ତାଙ୍କୁ ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ । 

ଆଇପିଏଲ ୨୦୨୫ ମେଗା ଅକ୍ସନରେ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ ରିଷବ । ତାଙ୍କୁ ଲକ୍ଷ୍ନୌ ୨୭ କୋଟି ଟଙ୍କାରେ କିଣିଥିଲା । ଆଉ ଦଳର ଅଧିନାୟକ ଦାୟିତ୍ୱ ଦେଇଥିଲା । ହେଲେ ଲାଗୁଛି ରିଷଭ ତାକୁ ଠିକରେ ତୁଲାଇ ପାରୁନାହାନ୍ତି । ଯାହାକୁ ନେଇ ଦଳ ବହୁତ ବଡ଼ କ୍ଷତି ସହୁଛି । କାରଣ ୨୭ କୋଟି ଟଙ୍କାରେ କିଣାଯାଇ ବି ତାଙ୍କ ପ୍ରଦର୍ଶନ ୨୭ ଟଙ୍କାର ବି ନୁହେଁ । ଫ୍ରାଞ୍ଚାଇଜ ତାଙ୍କ ଉପରେ ଭରସା କରି ଏତେ ଟଙ୍କା ଖର୍ଚ୍ଚ କରିଦେଲେ ଆଉ ଏବେ ପସ୍ତଉଥିବା ଜଣାପଡିଛି । 

କେବଳ ପନ୍ତ ନୁହନ୍ତି ପଞ୍ଜାବ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ୱେଲ । ତାଙ୍କ ପଛରେ ପଞ୍ଜାବ ୪ କୋଟି ଟଙ୍କା ଖର୍ଚ୍ଚ କରିଛି । ହେଲେ ଫଳ ଶୂନ । ଦିନେ ଯେଉଁ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ ଚାଲିଲେ ବୋଲରଙ୍କ ନିଦ ହଜିଯାଉଥିଲା, ଚଳିତ ସିଜିନରେ ତାଙ୍କ ବ୍ୟାଟ ନିରବ ହୋଇଯାଇଛି । ଆଉ କ୍ଷତି ସହୁଛି ଫ୍ରାଞ୍ଚାଇଜ୍ ।