କନକ ବ୍ୟୁରୋ: ଇଂଲଣ୍ଡ ଗସ୍ତ ସମୟରେ ଋଷଭ ପନ୍ତଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଭାରତୀୟ ଦଳର ୱିକେଟକିପର ତଥା ବ୍ୟାଟର ଋଷଭ ପନ୍ତ ପୁଣି ଫିଟ୍ ହେବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ରିପୋର୍ଟ ଅନୁଯାୟୀ ତାଙ୍କ ଗୋଡ଼ରୁ ପ୍ଲାଷ୍ଟର ହଟାଇ ଦିଆଯାଇଛି ଏବଂ ବର୍ତ୍ତମାନ ସେ ଆରାମରେ ଚାଲିପାରୁଛନ୍ତି । ୨୭ ବର୍ଷୀୟ ପନ୍ତ ଖୁବଶୀଘ୍ର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI)ର ସେଣ୍ଟର ଅଫ୍ ଏକ୍ସିଲେନ୍ସ ଯିବେ ଏବଂ ଟ୍ରେନିଂ ଆରମ୍ଭ କରିବେ ।
ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଟେଷ୍ଟର ପ୍ରଥମ ଦିନରେ ପନ୍ତଙ୍କୁ ଏହି ଆଘାତ ଲାଗିଥିଲା । କ୍ରିସ୍ ୱୋକ୍ସଙ୍କ ବିରୋଧରେ ରିଭର୍ସ ସ୍ୱିପ୍ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ । ବଲ୍ ତାଙ୍କ ଗୋଡ଼ରେ ବାଜିବା ପରେ ତାଙ୍କୁ ମୈଦାନ ଛାଡ଼ିବାକୁ ପଡିଥିଲା । ଏହା ସତ୍ତ୍ୱେ, ପରଦିନ ସେ ଫେରିଆସି ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ, ଯାହା ତାଙ୍କର ଲଢୁଆ ମାନସିକତାକୁ ଦର୍ଶାଇଥିଲା । ପନ୍ତ ଟିମ୍ରୁ ବାଦ ପଡ଼ିବା ପରେ ଧ୍ରୁବ ଜୁରେଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା ଏବଂ ସେ ବାକି ଥିବା ଟେଷ୍ଟରେ ୱିକେଟକିପିଂର ଦାୟିତ୍ୱ ତୁଲାଇଥିଲେ।
ପୂର୍ବରୁ ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ ପନ୍ତଙ୍କ ନଜର ଭାରତର ପରବର୍ତ୍ତୀ ଘରୋଇ ସିରିଜ୍ ଉପରେ ରହିଛି । ଅକ୍ଟୋବର ୨ରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ଟିକିଆ ଟେଷ୍ଟ ମ୍ୟାଚ୍ ସିରିଜ୍ ଖେଳିବ ଭାରତ । ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଏବଂ ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀରେ ଖେଳାଯିବ। ଯଦି ପନ୍ତ ଫିଟ୍ ଘୋଷିତ ହୁଅନ୍ତି, ତେବେ ଦିଲ୍ଲୀ ଟେଷ୍ଟରେ ତାଙ୍କ କମ୍ବ୍ୟାକ୍ ଦେଖି ପାରନ୍ତି ଫ୍ୟାନ୍ସ ।