କନକ ବ୍ୟୁରୋ: ପୁଣି ମହାନତାର ପରିଚୟ ଦେଲେ ଭାରତୀୟ କ୍ରିକେଟର ଋଷଭ ପନ୍ତ । ନିକଟରେ ଭଙ୍ଗାପାଦରେ ବ୍ୟାଟିଂ କରିବାକୁ ଓହ୍ଲାଇ ଦେଶ ପାଇଁ ଖେଳିବାର ଜିଦ୍କୁ ଦର୍ଶାଇଥିଲେ । ଏବେ କର୍ଣ୍ଣାଟକ ବାଗଲକୋଟ ଜିଲ୍ଲାର ଜଣେ ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି ଏହି ଷ୍ଟାର କ୍ରିକେଟର । ଏହି ୱିକେଟକିପର-ବ୍ୟାଟର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ୪୦ ହଜାର ଆର୍ଥିକ ସହାୟତା ପ୍ରଦାନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ।
କର୍ଣ୍ଣାଟକ ବାଗଲକୋଟ ଜିଲ୍ଲାର ତାଲୁକର ରାବକାଭି ଗାଁର ବାସିନ୍ଦା ଜ୍ୟୋତି କାନାବୁର ମଠ, ତାଙ୍କ ପ୍ରି-ୟୁନିଭର୍ସିଟି କୋର୍ସରେ (PUC) ୮୫% ନମ୍ବର ରଖିଥିଲେ । ହେଲେ ମଧ୍ୟ ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚଶିକ୍ଷା ଲାଭ କରିବେ କି ନାହିଁ ତାହାକୁ ନେଇ ଅନିଶ୍ଚିତତାରେ ଥିଲେ । ସେ ଜାମଖଣ୍ଡିର ବିଜାପୁର ଲିଙ୍ଗାୟତ ଶିକ୍ଷା ସଂସ୍ଥାନରେ ବ୍ୟାଚେଲର ଇନ୍ କମ୍ପ୍ୟୁଟର ଆପ୍ଲିକେସନ (BCA) ପାଠ୍ୟକ୍ରମରେ ଆଡମିସନ ପାଇଁ ଯୋଗ୍ୟତା ହାସଲ କରିଥିଲେ, କିନ୍ତୁ ତାଙ୍କ ବାପା ତୀର୍ଥୟା କାନାବୁର ମଠ କଲେଜ ଫିସ୍ ଦେବାକୁ ଅସମର୍ଥ ଥିଲେ ।
ସାହାଯ୍ୟ ପାଇଁ ପରିବାର ଲୋକେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ନିକଟକୁ ଯାଇଥିଲେ । ଛାତ୍ରୀଙ୍କ ସହୟାତ ପାଇଁ ସମ୍ପୃକ୍ତ ବ୍ୟକ୍ତି ଜଣକ ବେଙ୍ଗାଲୁରୁରେ ଥିବା ତାଙ୍କର ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ । ସଂଯୋଗବଶତଃ, ଏହି ସହାୟତା ଅନୁରୋଧ ଋଷଭ ପନ୍ତଙ୍କ ପାଖରେ ପହଞ୍ଚିଥିଲା ଏବଂ ସେ ତୁରନ୍ତ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ ତୁରନ୍ତ ୪୦ ହଜାର ଟଙ୍କା ଫିସ୍ ସିଧାସଳଖ କଲେଜ ଆକାଉଣ୍ଟରେ ଜମା କରିଥିଲେ । ଯାହାଫଳରେ ଜ୍ୟୋତିଙ୍କ ଉଚ୍ଚଶିକ୍ଷା ଲାଭରେ କୌଣସି ଅସୁବିଧା ହେବନି ।ଏହାକୁ ନେଇ କୃତଜ୍ଞତା ପ୍ରକାଶ କରିଛନ୍ତି ଜ୍ୟୋତି । ସେ ଋଷଭ ପନ୍ତ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଏକ କୃତଜ୍ଞତାପୂର୍ଣ୍ଣ ଚିଠି ଲେଖିଛନ୍ତି । ଚିଠିରେ ଜ୍ୟୋତି କୃତଜ୍ଞତା ଜଣାଇବା ସହ ଭବିଷ୍ୟତରେ ଏଭଳି ସହାୟତାପୂର୍ଣ୍ଣ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଜ୍ୟୋତି କହିଛନ୍ତି, "ମୋ ନାମ ଜ୍ୟୋତିକା । ମୋ ବାପାଙ୍କ ନାମ ତୀର୍ଥୟା ଏବଂ ମାଆଙ୍କ ନାମ ରୂପା । ମୁଁ ଜାମଖଣ୍ଡିର ରାବକାଭି ଗାଁରେ ରୁହେ । ମୁଁ ବେଲଗାଭିର ଏକ ସ୍କୁଲରୁ SSLC ଏବଂ ଏକ କଲେଜରୁ PUC ଶେଷ କରିଛି ।" ସେ ଆହୁରି କହିଛନ୍ତି, "ମୁଁ BCA ପଢ଼ିବାକୁ ଚାହୁଥିଲି, କିନ୍ତୁ ଆର୍ଥିକ ସମସ୍ୟା ଯୋଗୁଁ ମୋ ବାପା-ମା' ଆମ ଗାଁର ଅନୀଲ ନାମକ ଜଣେ ବ୍ୟକ୍ତିଙ୍କୁ କୌଣସି ସ୍କଲାରସିପ୍ କିମ୍ବା ଆର୍ଥିକ ସହାୟତା ମିଳିପାରିବ କି ବୋଲି ପଚାରିଥିଲେ । ଅନୀଲ ବେଙ୍ଗାଲୁରୁରେ ରହୁଥିବା ତାଙ୍କ ବନ୍ଧୁ ଅକ୍ଷୟଙ୍କ ସହ ଯୋଗାଯୋଗ କରିଥିଲେ । ଅକ୍ଷୟ ମୋ ସ୍ଥିତି ସମ୍ପର୍କରେ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ଜଣାଇଥିଲେ । ଋଷଭ ପନ୍ତ ଏହା ଜାଣିବା ପରେ ତୁରନ୍ତ ୪୦ ହଜାର ଟଙ୍କା ପଠାଇଥିଲେ ଯାହାଫଳରେ ମୁଁ ମୋର BCA ପଢ଼ା ଜାରି ରଖିପାରିବି । ମୁଁ ଋଷଭ ପନ୍ତଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଭଗବାନଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ମୁଁ ଅନୀଲ ଆନ୍ନା ଏବଂ ଅକ୍ଷୟ ନାୟକ ସାରଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି। ମୁଁ ସେମାନଙ୍କ ସାହାଯ୍ୟ କେବେବି ଭୁଲିବି ନାହିଁ ।"
ନିଜ ଭବିଷ୍ୟତକୁ ନେଇ ଜ୍ୟୋତି କହିଛନ୍ତି "ମୁଁ ଜଣେ ସଫ୍ଟୱେୟାର ଇଞ୍ଜିନିୟର ହେବାକୁ ଚାହେ ଏବଂ ଏହି ସୁଯୋଗର ମୁଁ ସର୍ବୋତ୍ତମ ବ୍ୟବହାର କରି କଠିନ ପରିଶ୍ରମ କରିବି । ଜଣେ ସଫ୍ଟୱେୟାର ଇଞ୍ଜିନିୟର ହେବା ପରେ ମୁଁ ମଧ୍ୟ ଗରିବ ପିଲାମାନଙ୍କୁ ସାହାଯ୍ୟ କରିବି ।" ଋଷଭ ପନ୍ତ ନିକଟରେ ଟେଷ୍ଟ କ୍ରିକେଟରେ ଭାରତର ଉପ-ଅଧିନାୟକ ଭାବେ ଦାୟିତ୍ୱ ପାଇଛନ୍ତି । ସେ ଇଂଲଣ୍ଡ ଗସ୍ତରେ ଭାରତୀୟ ସ୍କ୍ୱାଡ୍ରେ ସାମିଲ ଥିଲେ । ମାଞ୍ଚେଷ୍ଟର ଟେଷ୍ଟରେ ଆହତ ହେବାପରେ ବି ସେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ଯାହାକୁ ନେଇ ତାଙ୍କୁ ବାଃ ବାଃ ମିଳିଥିଲା । ଏବେ ଛାତ୍ରୀଙ୍କୁ ଆର୍ଥିକ ସହଯୋଗ କରି ସେ ପୁଣି ନିଜ ମହାନତାର ପରିଚୟ ଦେଇଛନ୍ତି ।