କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟାରଙ୍କ ନଜରରେ କ୍ରିକେଟର୍ ରିଙ୍କୁ ସିଂହ । ଟିମ୍ ଇଣ୍ଡିଆର ଷ୍ଟାର୍ ଖେଳାଳି ରିଙ୍କୁ ସିଂହଙ୍କୁ ଅଣ୍ଡରୱାର୍ଲ୍ଡରୁ ମିଳିଛି ଧମକ । ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜାତୀୟ ଗଣମାଧ୍ୟମର ପ୍ରାପ୍ତ ସୂଚନା ଅନୁଯାୟୀ, ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ କ୍ରିକେଟର୍ ରିଙ୍କୁ ସିଂହଙ୍କୁ ଧମକ ଦେଇଛି । ଦାଉଦ ଗ୍ୟାଙ୍ଗ୍ ଚଳିତ ବର୍ଷ ଫେବୃଆରୀରୁ ଏପ୍ରିଲ ମାସ ମଧ୍ୟରେ ରିଙ୍କୁ ସିଂହଙ୍କ ପ୍ରମୋସନାଲ୍ ଟିମକୁ ତିନି ଥର ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲେ । ଡି-କମ୍ପାନିରୁ ମିଳିଥିବା ଧମକରେ ରିଙ୍କୁ ସିଂହଙ୍କଠାରୁ ୫ କୋଟି ଟଙ୍କା ଦାବି କରାଯାଇଥିଲା । ତଥାପି ଏହି ମାମଲାରେ ପୁଲିସ ଏବେ ଦୁଇ ଜଣଙ୍କୁ ଗିରଫ କରିଛି ।
/filters:format(webp)/kanak/media/media_files/2025/10/11/rinku-singh-2025-10-11-12-04-25.jpg)
କ୍ରିକେଟର୍ ନିକଟରେ ସମ୍ପ୍ରତି ଏସିଆ କପ୍ରୁ ଫେରିଛନ୍ତି । ସେ ଫାଇନାଲରେ ଖେଳି ବିଜୟୀ ସ୍କୋର୍ ମଧ୍ୟ କରିଥିଲେ । କିନ୍ତୁ ଏବେ ଅଣ୍ଡରୱାର୍ଲ୍ଡରୁ ଧମକ ମିଳିବା ଖବର ଏକ ଚାଞ୍ଚଲ୍ୟକର ଆଲୋଡ଼ନ ସୃଷ୍ଟି କରିଛି । ତେବେ ପୁଲିସ ଏହି ମାମଲାରେ ଗିରଫ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଧମକ ଦେଇଥିବା ସ୍ୱୀକାର କରିଛି । ଦୁଇ ଅଭିଯୁକ୍ତ ମହମ୍ମଦ ଦିଲଶାଦ ଏବଂ ମହମ୍ମଦ ନାଭିଦଙ୍କୁ ୱେଷ୍ଟଇଣ୍ଡିଜରେ ଗିରଫ କରାଯାଇଛି । ଅଗଷ୍ଟ ୧ ତାରିଖରେ ୱେଷ୍ଟଇଣ୍ଡିଜ ସେମାନଙ୍କୁ ଭାରତକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ପୂର୍ବତନ ବିଧାୟକ ବାବା ସିଦ୍ଦିକିଙ୍କୁ ତାଙ୍କ ପୁଅ ଜୀଶାନ ସିଦ୍ଦିକିଙ୍କଠାରୁ ୧୦ କୋଟି ଟଙ୍କା ମାଗିବା ଅଭିଯୋଗରେ ହତ୍ୟା କରିବା ପରେ ପୁଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ହେବା ପରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ରିଙ୍କୁ ସିଂହଙ୍କୁ ଫୋନ୍ କରି ତାଙ୍କଠାରୁ ଟଙ୍କା ମାଗିଥିବା ସ୍ୱୀକାର କରିଥିଲା । ତେବେ ଏନେଇ ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ରିପୋର୍ଟ କରିଛି ଯେ ଜୀଶାନ ସିଦ୍ଦିକି ଏପ୍ରିଲ ୧୯ ରୁ ୨୧ ତାରିଖ ମଧ୍ୟରେ ଧମକପୂର୍ଣ୍ଣ ଇମେଲ୍ ପାଇଥିଲେ । ରିଙ୍କୁ ସିଂହଙ୍କ ପ୍ରମୋସନାଲ୍ ଟିମ୍ ଫେବୃଆରୀରୁ ଏପ୍ରିଲ ମଧ୍ୟରେ ତିନୋଟି ଧମକ ପାଇଥିଲା ।
ତେବେ ନିକଟରେ ରିଙ୍କୁ ସଂପ୍ରତି ୟୁଏଇରେ ଖେଳାଯାଇଥିବା ଟି-୨୦ ଏସିଆ କପରେ ମଧ୍ୟ ଟିମ୍ ଇଣ୍ଡିଆ ସହିତ ଥିଲେ । ତଥାପି ତାଙ୍କୁ କେବଳ ଗୋଟିଏ ମ୍ୟାଚ୍ ଖେଳିବାକୁ ମିଳିଥିଲା , ତାହା ମଧ୍ୟ ଫାଇନାଲରେ । ପାକିସ୍ତାନ ବିପକ୍ଷ ଟାଇଟଲ୍ ମ୍ୟାଚ୍ରେ ଯେତେବେଳେ ଟିମ୍ ଇଣ୍ଡିଆକୁ ଜିତିବା ପାଇଁ ଗୋଟିଏ ରନ୍ ଆବଶ୍ୟକ ଥିଲା, ସେତେବେଳେ ରିଙ୍କୁ ବ୍ୟାଟିଂ କରିବାକୁ ଆସିଥିଲେ । ତା’ପରେ ରିଙ୍କୁ ଚୌକା ମାରି ଟିମ୍ ଇଣ୍ଡିଆକୁ ଏକ ବଡ଼ ବିଜୟ ଦେଇଥିଲେ । ଟିମ୍ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆରେ ଏକ ଟି-୨୦ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରଖିଛି ଯାହା ଅକ୍ଟୋବର ୨୯ ତାରିଖରୁ ଆରମ୍ଭ ହେଉଛି । ଏହି ଗସ୍ତ ପାଇଁ ରିଙ୍କୁ ସିଂହଙ୍କୁ ଟି-୨୦ ଦଳରେ ମନୋନୀତ କରାଯାଇଛି । ଯାତ୍ରା ପୂର୍ବରୁ ଆହୁରି ବହୁତ ସମୟ ବାକି ଥିବା ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ୍ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି ।