କନକ ବ୍ୟୁରୋ: ସଫଳତା ପାଇଁ ସଂଘର୍ଷ ହିଁ ଏକମାତ୍ର ରାସ୍ତା । ଯାହା ସତ କରିଛନ୍ତି କ୍ରିକେଟର ରିଙ୍କୁ ସିଂ । ନିଜ କଠିନ ପରିଶ୍ରମ ବଳରେ ସେ ନିଜ ସ୍ୱପ୍ନକୁ ପୂରଣ କରିପାରିଛନ୍ତି । ଆଉ ନୂଆ ଘର କିଣି ନିଜ ବାପା ମା’ଙ୍କୁ ଗିଫ୍ଟ ଦେଇଛନ୍ତି । ଜଣେ ବାପା, ମାଙ୍କ ପାଇଁ ୟାଠାରୁ ବଡ କଥା ଆଉ କଣ ବା ହୋଇପାରେ ।
ନୂଆ ଘର କିଣିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂ । ଦକ୍ଷିଣ ଆଫ୍ରିକା ଗସ୍ତ କରିବା ପୂର୍ବରୁ ନିଜ ପରିବାର ସହ ନୂଆ ଘରକୁ ସିଫ୍ଟ ହୋଇଛନ୍ତି ରିଙ୍କୁ ସିଂ । ବର୍ତ୍ତମାନ ରିଙ୍କୁ ସିଂଙ୍କ ଠିକଣା ବଦଳି ଯାଇଛି, ଏବେ ତାଙ୍କ ନୂଆ ଠିକଣା ଆଲିଗଡର ଓଜନ ସିଟିର ଗୋଲ୍ଡେନ ଇଷ୍ଟେଟର କୋଠା ନମ୍ବର ୩୮ । ରିଙ୍କୁ ସିଂଙ୍କ ଏହି ଘର ୫୦୦ ବର୍ଗ ଫୁଟ ଏରିଆରେ ରହିଛି । ବୁଧବାର ଗୃହ ପ୍ରବେଶ ସମୟରେ ଓଜନ ସିଟିର ଚେୟାରମ୍ୟାନ ଘରର ଚାବି ରିଙ୍କୁ ସିଂଙ୍କ ବାପା ଖାନଚନ୍ଦ ଓ ମା ବୀଣା ଦେବୀଙ୍କୁ ଦେଇଥିଲେ । ଏହା ପରେ ସନ୍ଧ୍ୟାରେ ପୂଜାପାଠ ପରେ ଫିତା କାଟି ଗୃହ ପ୍ରବେଶ ମଧ୍ୟ କରାଯାଇଥିଲା ।
ଆଇପିଏଲ ୨୦୨୫ ମେଗା ଅକ୍ସନ ପୂର୍ବରୁ ରିଙ୍କୁ ସିଂଙ୍କୁ କୋଲକାତା ନାଇଟ ରାଇଡର୍ସ ରିଟେନ ରଖିଛି । ତାଙ୍କୁ ଫ୍ରାଞ୍ଚାଇଜ ୧୩ କୋଟି ଟଙ୍କାରେ ରିଟେନ ରଖିଛି । ଯାହା ତାଙ୍କ ୫୫ ଲକ୍ଷ ବେସ ପ୍ରାଇସଠାରୁ ୨୪ ଗୁଣା ଅଧିକ । କୋଲକାତା ରିଙ୍କୁ ସିଂଙ୍କ ବ୍ୟତୀତ ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରାଇନ୍, ଆନେ୍ଧ୍ର ରସେଲ, ହର୍ଷିତ ରାଣା ଓ ରମନଦୀପ ସିଂ ଭଳି ଖେଳାଳିଙ୍କୁ ରିଟେନ ରଖିଛି ।
୨୦୧୭ ମସିହାରେ ଆଇପିଏଲରେ ଡେବ୍ୟୁ କରିଥିବା ଏହି ଖେଳାଳି ୨୦୨୩ ମସିହାରେ ଏମିତି କିଛି କରିଥିଲେ ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା । ଆଉ ରାତାରାତି ହିରୋ ପାଲଟିଯାଇଥିଲେ ରିଙ୍କୁ ସିଂ । କୋଲକାତା ପାଇଁ ଅବିଶ୍ୱସନୀୟ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ ରିଙ୍କୁ । ଶେଷ ଓଭରରେ ଦଳକୁ ୩୦ ରନ ଦରକାର ହେଉଥିବା ବେଳେ ଜଣେ ଅନଅଭିଜ୍ଞ ଖେଳାଳି ଭାବେ ସେ ମୈଦାନରେ ଛିଡା ହୋଇଥିଲେ । ହେଲେ ଶେଷ ୫ ବଲରେ ୫ ଛକା ମାରି ସେ ଦଳକୁ ପରାଜୟ ମୁହଁରୁ ଫେରାଇ ଆଣିଥିଲେ । ଯାହା ପରଠୁ ସେ ଆଇପିଏଲରେ ଷ୍ଟାର ପାଲଟିଯାଇଥିଲେ ।
ଏହି ବିସ୍ଫୋରକ ଇଂନିସ ପରେ ରିଙ୍କୁ ସିଂ ସେହି ୨୦୨୩ ମସିହାରେ ଅନ୍ତର୍ଜାତୀୟ ଟି-୨୦ରେ ଭାରତ ପାଇଁ ପଦାର୍ପଣ କରିଥିଲେ । ଯାହା ତାଙ୍କ ଜୀବନର ବଡ ସଫଳତା । ଆଉ ଏହା ପରେ ସେ କେବେ ପଛକୁ ଫେରିନାହାନ୍ତି । ମାତ୍ର ଅଳ୍ପଦିନରେ ରିଙ୍କୁ ସିଂ କ୍ରିକେଟ ଜଗତରେ ବଡ ଉପଲବ୍ଧି ହାସଲ କରିପାରିଛନ୍ତି । ଯାହା କେବଳ ତାଙ୍କ ପରିଶ୍ରମ ପାଇଁ ହିଁ ସଫଳ ହୋଇପାରିଛି । ଗୋଟିଏ ଗରିବ ପରିବାରରୁ ଆସି ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି ଏହି ଷ୍ଟାର କ୍ରିକେଟର ।