କନକ ବ୍ୟୁରୋ: ରାସ୍ତା ମାନେ ରିକ୍ସା, ରିକ୍ସା ମାନେ କଟକ... ବାଉନ ବଜାର ତେପନ ଗଳି, ଯୁଆଡେ ଦେଖିଲେ ସିଆଡେ ରିକ୍ସା ଯାଉଥିଲା ଗଡି । ବାଲି ଯାତ୍ରା ହେଉ କି ଦଶହରା, ରିକ୍ସାରେ ନବୁଲିଲେ ସବୁ କିଛି ଅଧୁରା । ଏଠି ମାଲଗୋଦାମରୁ ମାଲ ଯାଏ ରିକ୍ସାରେ, ଛତ୍ର ବଜାରରୁ ପରିବା ବି ଯାଏଁ ରିକ୍ସାରେ । ସୁନ୍ଦରୀ ଝିଅଟି ରେଭେନ୍ସା ଯାଏ ରିକ୍ସାରେ, ପ୍ରେମ ତ ଏଠି ନିଇତି ଗଢା ହୁଏ ରିକ୍ସାରେ ରିକ୍ସାରେ... ଏଠି ରେଳ ଷ୍ଟେସନରୁ ଓହ୍ଲାଇଲେ ରିକ୍ସା ଖୋଜା ପଡେ... ବାଦାମବାଡିରେ ବସରୁ ଓହ୍ଲାଇଲେ ବି ରିକ୍ସାବାଲା ଡାକ ଛାଡେ... 

Advertisment

ଆବେଗର ନାଁ ରିକ୍ସା, ଆବଶ୍ୟକତାର ନାଁ ରିକ୍ସା । ହଜିଲା ଦିନର ଖୋଜିଲା ଛବିଟେ ରିକ୍ସା, ରାସ୍ତାର ଛାତିରେ ଚକ ଚଲେଇ ଛକିଶୂନ ଗାର ଟାଣୁଥିବା ଯାନର ନାଁ ରିକ୍ସା... ଦିନଥିଲା ରିକ୍ସାରେ ବସିଲେ ରାଜା ପରି ଲାଗୁଥିଲା, ହେଲେ ଏବେ ଲୋକଙ୍କୁ ଲାଜ ଲାଗୁଛି, ରିକ୍ସାବାଲା ଡାକ ଛାଡୁଛି କିନ୍ତୁ କାହା କାନରେ ପଡୁନି କି କେହି ବି ବସୁନି। ଆଧୁନିକତାର ଚାକଚକ୍ୟତା ରାସ୍ତାରେ ରିକ୍ସାର ବାଟ ବନ୍ଦ କରିଛି, ଅଟୋ ଆଉ ବସର ହର୍ଣ୍ଣ ଆଗରେ ରିକ୍ସାବାଲାର ଡାକ ହଜିଯାଇଛି...

THUMB

ରିକ୍ସା ଗୋଟେ ମଣିଷ ପରି... ତାର ବି ହାତ ଅଛି, ପାଦ ଅଛି, ଗୋଡ ଅଛି ଦେହ ବି ଅଛି... କିନ୍ତୁ ଆଜି ତା ମନ ମରିଯାଇଛି । ଘରେ ଘରେ ବାଇକ, ମାଳ ମାଳ ଅଟୋ, ପୁଳାପୁଳା ବସ ଆଗରେ ଆଜି କେହି ବି ରିକ୍ସାକୁ ଖୋଜୁନି । ସମୟ ବଞ୍ଚାଇବା ପାଇଁ ରିକ୍ସା ବଦଳରେ ଲୋକେ ଅନ୍ୟ ଯାନରେ ଯାଉଛନ୍ତି । ତେଣୁ ରିକ୍ସା ଉପରେ ଭରସା କରି ରହୁଥିବା ଲୋକେ ବଡ କଷ୍ଟରେ ଦିନକୁ ୧୦୦ରୁ ୨୦୦ ଟଙ୍କା ରୋଜଗାର କରିବାରେ ସକ୍ଷମ ହେଉଛନ୍ତି ।

ସମୟ ସହ ତାଳ ଦେଇ ମଣିଷ ଏମିତି ବଦଳୁଥିବ, ସହରର ବିକାଶ ବି ହେଉଥିବ- ଅଟୋ, ବସ ପରେ ଡବଲ ଡେକର ବସ୍ ସହ ମେଟ୍ରୋ ବି ଚାଲିବ... ହୁଏତ ସେତେବେଳେ ଆଉ ରାସ୍ତାରେ ରିକ୍ସା ଚାଲୁନଥିବ କିନ୍ତୁ ମଣିଷ ମନରେ ରିକ୍ସା ସ୍ମୃତି ହୋଇ ସବୁବେଳେ ଗଡୁଥିବ, ମଣିଷର ଆଖି ରାସ୍ତା ଉପରେ ରିକ୍ସାକୁ ଖୋଜି ହେଉଥିବ ଆଉ କେଉଁ ସଂଗ୍ରାହାଳୟରେ ରିକ୍ସାକୁ ଦେଖି ଆଗାମୀ ପିଢିକୁ ଆମେ କହୁଥିବା- ସମୟ ଥିଲା... ରିକ୍ସା ରାସ୍ତାର ରାଜା ଥିଲା