କନକ ବ୍ୟୁରୋ : କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । କାରଣ ଏମିତି ଏକ ସ୍ବତନ୍ତ୍ର ମନ୍ଦିର ଅଛି ଯେଉଁଠି ଭକ୍ତଙ୍କ ପ୍ରବଳ ଭିଡ ଲାଗୁଛି । ଏହି ଭିଡ ମନ୍ଦିରରେ ଭୋଗ ଲଗାଇବା ପାଇଁ କି ଭଗବାନଙ୍କ ଦର୍ଶନ ପାଇଁ ନୁହେଁ ବରଂ ନ୍ୟାୟ ପାଇବା ପାଇଁ ହନୁମାନଙ୍କ ମନ୍ଦିରରେ ଗହଳି ଲାଗୁଛି । ଆଜ୍ଞା ହଁ, ମଧ୍ୟପ୍ରଦେଶର ରୀବାରେ ହନୁମାନଙ୍କର ତିନୋଟି ଏପରି ସ୍ବତନ୍ତ୍ର ମନ୍ଦିର ଅଛି ଯେଉଁଠି ଭକ୍ତମାନଙ୍କ ଗହଳି ଲାଗିଥାଏ ଆଉ କୋର୍ଟରେ ଯେପରି ସମସ୍ୟାର ସମାଧନ ହୋଇଥାଏ ସେପରି ଭକ୍ତମାନେ ସମସ୍ୟା ନେଇ ଏହି ତିନି ମନ୍ଦିରକୁ ଯାଇଥାନ୍ତି । ହନୁମାନଙ୍କ ତିନି ମନ୍ଦିରକୁ ତିନି କୋର୍ଟ ଭାବେ ବିବେଚିତ କରିଥାନ୍ତି ଭକ୍ତ । ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ଏହି ତିନି ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ହନୁମାନଙ୍କ ଦର୍ଶନ କରିବାକୁ ପହଞ୍ଚିଥାନ୍ତି ।
ବିଶ୍ବାସ ଅଛି ଯେ, ଏହି ମନ୍ଦିରରେ ସ୍ବୟଂ ହନୁମାନ ବିଚାରପତି ଭୂମିକା ଗ୍ରହଣ କରି କରିଥାନ୍ତି । ନିର୍ମଳ ମନରେ କରାଯାଇଥିବା ମାମଲା ଉପରେ ନିଷ୍ପତ୍ତି ଶୁଣାଇଥାନ୍ତି ହନୁମାନ । ଲୋକକଥା ଅନୁସାରେ, ଏହି ମନ୍ଦିରମାନଙ୍କରେ ହନୁମାନଙ୍କ ସ୍ଥାପନା ୫୦୦ ବର୍ଷ ପୂର୍ବରୁ ବଘେଲ ରାଜବଂଶ ଦ୍ବାରା କରାଯାଇଥିଲା । ଏହି ତିନୋଟି ମନ୍ଦିର ନଦୀ ପାଖେ ଅବସ୍ଥିତ । ମନ୍ଦିରକୁ ଭକ୍ତ ତିନି ଭିନ୍ନ ଭିନ୍ନ ମନ୍ଦିର ଭାବେ ଦେଖିଥାନ୍ତି । ପୂଜାରୀଙ୍କ ଅନୁସାରେ , ରାମସାଗରକୁ ଜିଲ୍ଲା ନ୍ୟାୟାଳୟ ମାନ୍ୟତା ଦିଆଯାଇଛି । ଏଠାରେ ଭକ୍ତ ତାଙ୍କ ସମସ୍ୟାର ପ୍ରଥମ ଆବେଦନ ଏହି ମନ୍ଦିରରେ କରିଥାନ୍ତି । ଏହା ପରେ ଚିରହୁଲା ହନୁମାନ ମନ୍ଦିର, ଯାହାକୁ ହାଇକୋର୍ଟର ମାନ୍ୟତା ଦିଆଯାଇଛି । ସେହିପରି ସବୁଠାରୁ ଆଗରେ ଆସୁଛି ଖୋମସାଗର ହନୁମାନ ମନ୍ଦିର ଯାହାକୁ ସୁପ୍ରିମ କୋର୍ଟ କହିଥାନ୍ତି ଭକ୍ତ । ଯେଉଁ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ସେମାନେ ଚିରହୁଲା ମନ୍ଦିରରେ ରାମଚରିତମାନସ ପାଠ କରିଥାନ୍ତି ଏବଂ ଭଣ୍ଡାରାର ଆୟୋଜନ କରିଥାନ୍ତି ।