କନକ ବ୍ୟୁରୋ : ଆନ୍ଦୋଳନରେ କର୍ମଚାରୀ, ଫାଙ୍କା ପଡ଼ିଛି ଚଉକି । ଯାହାଫଳରେ ଝିଅର ସ୍କଲାରସିପ୍ ଆବେଦନ ପାଇଁ ଆବଶ୍ୟକ ଥିବା ଜାତି ଓ ଆବାସିକ ପ୍ରମାଣପତ୍ର ବାହାର କରିବାକୁ ଆସି ନିରାଶ ହୋଇ ଫେରିଛନ୍ତି କେନ୍ଦୁଝରର ମମତା । କାଲି ସୁଦ୍ଧା ପ୍ରମାଣପତ୍ର ବାହାର କରି ନ ପାରିଲେ ଝିଅର ସ୍କଲାରସିପ୍ ପାଇଁ ଆବେଦନ ହୋଇପାରିବ ନାହିଁ । ଠିକ୍ ସେହିଭଳି ସମ୍ବଲପୁରରୁ ଆସିଛି ସମାନ ଚିତ୍ର। କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ହିନସ୍ତା ହେଉଛନ୍ତି ଲୋକେ । କିଏ ପଟ୍ଟା ପାଇ ପାରୁନି ତ କିଏ ଜମିର କିସମ ପରିବର୍ତ୍ତନ କରି ପାରୁନି ତ କାହାର ମ୍ୟୁଟେସନ ଅଟକି ରହିଛି । ସେମିତି ଜଣେ ବ୍ୟକ୍ତି ହେଲେ ସମ୍ବଲପୁରର ଏମ୍ଡି କଲିମ । ସେ ଜମିର କିସମ ପରିବର୍ତ୍ତନ ପାଇଁ ରାଜସ୍ବ ଅଫିସ ଆସି ନିରାଶ ହୋଇ ଫେରିଛନ୍ତି ।
୧୦ ଦଫା ଦାବି ନେଇ ରାଜସ୍ବ ଅମଲା କର୍ମଚାରୀ ସମୂହ ଛୁଟିରେ ଥିବାବେଳେ ଗତକାଲି ଚେତାବନୀ ଦେଇଥିଲେ ରାଜସ୍ବ ମନ୍ତ୍ରୀ । କହିଥିଲେ, ଲୋକଙ୍କ କାମ ନହେଲେ ଦରମା ବନ୍ଦ ହେବ । କିନ୍ତୁ ମନ୍ତ୍ରୀଙ୍କ ଏହି ତାଗିଦକୁ ଡରି ନଯାଇ ଜିଦରେ ଅଟଳ ରହିଛନ୍ତି ରାଜସ୍ବ ଅମଲା କର୍ମଚାରୀ । ରାଜ୍ୟବ୍ୟାପୀ ସମୂହ ଛୁଟିରେ ରହି ଧାରଣା ଦେଇଛନ୍ତି । ମନ୍ତ୍ରୀଙ୍କ ଚେତାବନୀ ପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜସ୍ବ ଅମଲାଙ୍କ ସମୂହ ଛୁଟିକୁ ବାତିଲ କରିଛନ୍ତି ସବୁ ଜିଲ୍ଲାପାଳ । ଏବେ ଅପେକ୍ଷା, ଜିଦରେ ଅଟଳ ଥିବା କର୍ମଚାରୀଙ୍କ ବିରୋଧରେ କି ପଦକ୍ଷେପ ନେଉଛନ୍ତି ସରକାର ।