କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ କଡ଼ା ଭର୍ତ୍ସନା କଲେ ରାଜସ୍ୱ ମନ୍ତ୍ରୀ । କହିଛନ୍ତି, ’ମହୁଆ ମୋଇତ୍ରା ଯାହା କୁହନ୍ତି ସେ ନିଜେ ବୁଝନ୍ତି ନାହିଁ ।  ମହୁଆ ଲୋକସଭାରୁ ବିତାଡ଼ିତ ହୋଇଥିଲେ । ଆଉ ସେ ପୁଣି କ’ଣ ଓଡ଼ିଶାକୁ ଧମକ ଦେବେ  ? ଓଡ଼ିଆ ପୁଅକୁ ବାହା ହୋଇଛନ୍ତି ଆଉ ମାସେ ପୂରିନି ଶ୍ବଶୁର ଘରକୁ ଧମକ ଦେଉଛନ୍ତି । ଶାଶୂ ଘର କଲେ ଓଡ଼ିଶାରେ କିନ୍ତୁ ମନ ଓ ଶରୀର ଅଛି ବଙ୍ଗଳାରେ । ପିନାକୀ ବାବୁ କ’ଣ କରୁଥିବେ ମୁଁ ବୁଝିପାରୁନାହିଁ । ଇଂରେଜମାନେ ଓଡ଼ିଶାକୁ ଧମକେଇ ପାରିଲେନି ଆଉ ମହୁଆ ମୋଇତ୍ରା କିଏ ? ସେ ଓଡ଼ିଶା ପ୍ରତି ଦୃଷ୍ଟି ନଦେଇ ଯଦି ବେଙ୍ଗଲ ପ୍ରତି ଦୃଷ୍ଟି ଦିଅନ୍ତେ ତାଙ୍କ ପାଇଁ ମଙ୍ଗଳ ହୁଅନ୍ତା’ ।

Advertisment

ସୁରେଶ ପୂଜାରୀ ଆହୁରି ମଧ୍ୟ କହିଛନ୍ତି, ’ବାଂଲାଦେଶ ଦେଶରୁ ଅନେକ ଅନୁପ୍ରବେଶକାରୀ ପଶ୍ଚିମବଙ୍ଗ ଦେଇ ଅନୁପ୍ରବେଶ କରୁଛନ୍ତି । ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଅନୁପ୍ରବେଶ କରୁଛନ୍ତି । ଯେଉଁ ହିନ୍ଦୁ ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ଯାତନାର ଶିକାର ହେଉଛନ୍ତି ସେମାନଙ୍କୁ ଆଣିବା ପାଇଁ ଆଇନ ବି କରିଛୁ । କିନ୍ତୁ ଅନ୍ୟ ସମ୍ପ୍ରଦାୟର ଲୋକ କାହିଁକି ଆସୁଛନ୍ତି? ସେମାନେ ଆସୁନାହାନ୍ତି ବରଂ ସେମାନଙ୍କୁ ଅଣାଯାଉଛି । ମମତା ବାନାର୍ଜୀଙ୍କ ଟିଏମସି ଦଳ ସେମାନଙ୍କୁ ଆଣୁଛି ନିଜର ଭୋଟର କାୟା ବୃଦ୍ଧି କରିବା ପାଇଁ । ସେମାନଙ୍କୁ ରାସନ କାର୍ଡ ମଧ୍ୟ ଦେଉଛନ୍ତି ଓ ଆଧାର କାର୍ଡ ବି କରୁଛି । ହିନ୍ଦୁମାନଙ୍କ ବିରୁଦ୍ଧରେ ଅପରାଧ କରାଉଛନ୍ତି । ଏମିତି ନ ହେଉ ପଶ୍ଚିମବଙ୍ଗରେ ମୂଳ ଭାରତୀୟ ନାଗରିକ ସେମାନେ ସଂଖ୍ୟାଲଘୁ ହୋଇ ନ ଯାଆନ୍ତୁ । ବେଙ୍ଗଲରେ ଟିଏମସି ସରକାର ଯାହା କରୁଛି ତାଙ୍କୁ ଭଗବାନ କି ଇତିହାସ କେବେ ବି କ୍ଷମା ଦେବେନି । ପଶ୍ଚିମବଙ୍ଗରେ ଆଜି ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ । ଯଦି ଆଜି ଆପଣ ବେଙ୍ଗଲ ଯିବେ ସୁରକ୍ଷିତ ଫେରିବେ କି ନାହିଁ ଠିକ୍ ନାହିଁ । ଟିଏମସି ପ୍ରାୟୋଜିତ ଅନୁପ୍ରବେଶକାରୀ ଆଣି ଆତଙ୍କବାଦ ସୃଷ୍ଟି କରୁଛନ୍ତି । ଆତଙ୍କବାଦୀ ତିଆରିର ଏନ୍ତୁଡ଼ି ଶାଳ ପାଲଟିଛି ପଶ୍ଚିମବଙ୍ଗ’ ।

’ବାକି ଯାହା ଓଡ଼ିଶାରେ ବାଂଲାଦେଶୀ ସନ୍ଦେହରେ କିଛି ଲୋକଙ୍କୁ ଅଟକ ରଖିବା କଥା ମହୁଆ କହିଛନ୍ତି ତାହା ସତ । କାରଣ , ମୁଁ ନିଜେ ବୁଝିଛି ଯେଉଁ ଅନୁପ୍ରବେଶକାରୀ ଧରା ପଡ଼ିଛନ୍ତି ସେମାନେ ପାକିସ୍ତାନ ଓ ବାଂଲାଦେଶ ସହ କଥା ହେଉଛନ୍ତି । ଏହାର ଅର୍ଥ ସେମାନେ ପାକିସ୍ତାନ ଓ ବାଂଲାଦେଶ ସହ ସମ୍ପର୍କରେ ଅଛନ୍ତି ସେଥିପାଇଁ କଥା ହେଉଛନ୍ତି । ଆମେ କ’ ଣ କେବେ ପାକିସ୍ତାନ ସହ କଥା ହେଉଛୁ କି ? ଅନୁପ୍ରବେଶ କାରୀଙ୍କୁ ତଡ଼ିପାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପହଞ୍ଚିସାରିଛି । ଓଡ଼ିଶା ସରକାର ମଧ୍ୟ ସେ ଦିଗରେ କାମ ଆରମ୍ଭ କରିଛନ୍ତି । ଝାରସୁଗୁଡ଼ାରେ ମଧ୍ୟ ଅନେକ ଆତଙ୍କବାଦୀମାନେ ବେଙ୍ଗଲୁରୁ କ୍ରାଇମ୍ କରି ପଳେଇ ଆସିଥିଲେ , ସେମାନଙ୍କୁ ଧରିବା ବେଳକୁ ବେଙ୍ଗଲ ଲୋକ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଚାଲିଛି ,ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ଓଡ଼ିଶାକୁ ଆଉ ଗୋଟେ ବେଙ୍ଗଲ ଭାବେ ଗଢ଼ି ତୋଳିବା ପାଇଁ ଅନୁପ୍ରବେଶକାରୀ ଏଠାକୁ ଆସୁଛନ୍ତି । କିନ୍ତୁ ଓଡ଼ିଶାର ମୋହନ ମାଝୀ ସରକାର ତାହା କରେଇ ଦେବେ ନାହିଁ । ଅନୁପ୍ରବେଶ କାରୀମାନେ ଏଠି ଆସି ବନ୍ଧୁକ କାରଖାନା କି ଡ୍ରଗ୍ସ କାରବାର କରିବେ ତାହା ଆମେ କରେଇ ଦେବୁନି । ବାଂଲାଦେଶରୁ ବେଙ୍ଗଲ ହେଇ ଓଡ଼ିଶା ରେ ଯେଉଁ କାର୍ଯ୍ୟ ସବୁ ଚାଲିଛି ସେ ଷଡଯନ୍ତ୍ରରେ ଆମେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପକେଇବୁ’ ।