କନକ ବ୍ୟୁରୋ : ଗୋଟିଏ ପଟେ ୫-ଟି ପାଇଁ ମଲୁ ବୋଲି କହି ବିଜେଡି ପରାଜୟର ପୃଷ୍ଠା ଓଲଟାଇଛନ୍ତି ବରିଷ୍ଠ ବିଧାୟକ ଅରୁଣ ସାହୁ। ଅନ୍ୟପଟେ ପୂର୍ବ ସରକାରରେ ବିନା ବଜେଟରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିବା ୫-ଟିର ସତକୁ ବିଧାନସଭାରେ ସାମ୍ନାକୁ ଆଣିଛନ୍ତି ରାଜସ୍ବ ମନ୍ତ୍ରୀ। ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତର ରଖି ବିରୋଧୀ ବିଜେଡିକୁ ୫-ଟି ତୀର ମାରିଛନ୍ତି ସୁରେଶ ପୂଜାରୀ। 

Advertisment

ପୂର୍ବ ସରକାର ଘୋଷଣା କରିଥିବା ୫୨ ବାତ୍ୟା ଆଶ୍ରୟସ୍ଥଳୀର କାର୍ଯ୍ୟ କାହିଁକି ଆଗକୁ ବଢୁନି ବୋଲି ପ୍ରଶ୍ନ କରି ଶାସକ ଦଳକୁ ଅଡୁଆରେ ପକାଇବାକୁ ଚାହିଁଥିଲେ ବିରୋଧୀ ଦଳ ଉପମୁଖ୍ୟ ସଚେତକ। କିନ୍ତୁ ଏ ପ୍ରଶ୍ନ ବିରୋଧୀ ଦଳ ପାଇଁ ବୁମେରାଂ ହୋଇଥିଲା। ବିନା ବଜେଟରେ ଘୋଷଣା କଲେ ପ୍ରକଳ୍ପ ହୁଏନି ବୋଲି କହି ପୂର୍ବ ସରକାରର ୫-ଟି ବ୍ୟବସ୍ଥାକୁ ବାଣ ମାରିଛନ୍ତି ରାଜସ୍ବ ମନ୍ତ୍ରୀ। ଘୋଷଣା ପରେ ଏଷ୍ଟିମେଟ, ଟେଣ୍ଡର ହେଲା କିନ୍ତୁ ୱାର୍କଅର୍ଡର ବେଳକୁ ଟଙ୍କା ନଥିଲା ବୋଲି କହି କଟାକ୍ଷ କରିଛନ୍ତି ସୁରେଶ। 

ପ୍ରଶ୍ନ ଉଠିବା ସ୍ବାଭାବିକ, ପୂର୍ବ ସରକାରରେ ବିନା ବଜେଟରେ କେମିତି ୫-ଟି ସଚିବ କରୁଥିଲେ ପ୍ରକଳ୍ପର ଘୋଷଣା? ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥିବା ବେଳେ କାହିଁକି ଲୋକଙ୍କୁ ଦିଆଯାଉଥିଲା ପୁଳା ପୁଳା ପ୍ରତିଶ୍ରୁତି? ନିର୍ବାଚନ ବୈତରଣୀ ପାର ହେବାକୁ ଇଏ ଥିଲା କି ବିଜେଡି ସରକାରର ଚାଲ୍? ପୂର୍ବ ସରକାର କରିଥିବା ଭୁଲର ବୋଝ ନୂଆ ସରକାର ମୁଣ୍ଡାଉଛି ବୋଲି କହି ୫-ଟିକୁ ତେରଛା ବାଣ ମାରିଛନ୍ତି ରାଜନୈତିକ ସମୀକ୍ଷକ। ପୂର୍ବ ସରକାର ଅଧାରେ ଛାଡିଥିବା କାର୍ଯ୍ୟକୁ ବିଜେପି ସରକାର ପୂରା କରିବ କହି ଆଶ୍ବସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ। ନୂଆ ସରକାର ୫୦୦ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ କରିବାକୁ ନିଷ୍ପତ୍ତି ନେଇଛି। ଯେଉଁଥିରେ ବିଜେଡି ସରକାର ଅମଳରେ ଘୋଷଣା ହୋଇଥିବା ୫୨ଟି ପ୍ରକଳ୍ପ ମଧ୍ୟ ପୁରା ହେବ।