'ଅନାସ୍ଥା ଆଣିଲେ ନିଜେ କ୍ଷତାକ୍ତ ହେବ' : ବିରୋଧୀଙ୍କୁ ମନ୍ତ୍ରୀଙ୍କ ଚରମବାଣୀ

ସଂଖ୍ୟା ନଥାଇ ବୟାନବାଜି । ଭକ୍ତଙ୍କ ଅନାସ୍ଥା ପ୍ରସ୍ତାବ ଆହ୍ବାନ ପରେ ରାଜ୍ୟ ରାଜନୀତି ସରଗରମ ।ବିଜେଡି ଓ କଂଗ୍ରେସକୁ ମୁହଁତୋଡ ଜବାବ ଦେଲା ବିଜେପି । ମନ୍ତ୍ରୀ ସୁରେଶ ପୂଜାରୀ କହିଲେ, କ୍ଷତାକ୍ତ ହେବେ ବିରୋଧୀ । ମୌସୁମୀ ଅଧିବେଶନ ଉପରେ ନଜର ।

35

କନକ ବ୍ୟୁରୋ: ବିଜେପି ସରକାର ବିରୋଧରେ ବିଧାନସଭାରେ ଅନାସ୍ଥା ଆଣିବାକୁ ପିସିସି ସଭାପତି ଭକ୍ତ ଦାସଙ୍କ ଆହ୍ବନକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ । ବିଜେପି ସରକାର ବିରୋଧରେ ବିରୋଧୀ କଂଗ୍ରେସ-ବିଜେଡି ମିଶିଯିବେ କି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାରି ଭିତରେ ଭକ୍ତଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ତେରେଛା ବାଣ ମାରି କହିଛନ୍ତି, ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି, ନିଜେ କ୍ଷତାକ୍ତ ହେବେ। ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ସେମାନଙ୍କ ପାଇଁ ବୁମେରାଂ ହେବ।  

ବିଜେପି ସରକାର ବିରୋଧରେ ଅନାସ୍ଥା ଆଣିବାକୁ ଭକ୍ତ ଦାସ ବୁଧବାର ବିଜେଡିକୁ ଆହ୍ବାନ ଦେଇଥିଲେ।  କହିଥିଲେ, ନାରୀ ନ୍ୟାୟ ପାଇଁ ଯଦି ବିଜେଡି ଆନ୍ତରିକତାର ସହ ଲଢ଼ିଛି ତାହେଲେ ବିଧାନସଭାରେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣୁ। ଏହାକୁ କଂଗ୍ରେସ ସମର୍ଥନ ଦେବ। ନଚେତ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ, ବିଜେଡି ସମର୍ଥନ ଦେଉ। ଭକ୍ତଙ୍କ ଆହ୍ବାନ ପରେ ଦେବୀ ମିଶ୍ର କହିଥିଲେ ମହିଳାଙ୍କ ପାଇଁ ସର୍ବଦା ବିଜେଡି ରହିଛି। 

ବିଧାନସଭାରେ ବିଜେପିର ୭୮  ଓ ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଛି। ବିରୋଧୀଙ୍କ ପାଖରେ ବିଜେଡିର ୫୧, କଂଗ୍ରେସର ୧୪, ସିପିଏମର ଜଣେ ବିଧାୟକ ରହିଛନ୍ତି। ତେଣୁ ବିରୋଧୀ ଅନାସ୍ଥା ଆଣିଲେ ବି ସରକାରକୁ ବିପଦ ନାହିଁ । ଅନାସ୍ଥା ଆଣିବାକୁ ହେଲେ ପ୍ରଥମେ ବିରୋଧୀଙ୍କୁ ବିଧାନସଭା ସଚିବଙ୍କୁ ଲିଖିତ ଆକାରରେ ଜଣାଇବାକୁ ପଡିବ। ବାଚସ୍ପତି ଏନେଇ ଗୃହକୁ ଅବଗତ କରାଇବେ । ୧୪ଜଣ ବିଧାୟକ ଅନାସ୍ଥା ସପକ୍ଷରେ ଛିଡା ହୋଇ ଗୃହରେ ସମର୍ଥନ ଜଣାଇଲେ ବାଚସ୍ପତି ଅନାସ୍ଥା ନେଇ ତାରିଖ ଧାର୍ଯ୍ୟ କରିବେ । ତେବେ ଏହା କେବଳ ରାଜନୈତିକ ବୟାନବାଜି ନା ଆସୁଥିବା ମୌସୁମୀ ଅଧିବେଶରେ ଏମିତି କିଛି ଦେଖିବାକୁ ମିଳିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe