କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ଗାଁର ପ୍ରକାଶ ଚନ୍ଦ୍ର ନାଏକ । ବୃତ୍ତିରେ ଶିକ୍ଷକ, ଅଵସର ପରେ ବିଭିନ୍ନ ପ୍ରକାରର ଆମ୍ବ ଚାଷ କରୁଛନ୍ତି । ଶିକ୍ଷକତା ସମୟରେ ସେ ନିଜ ଗାଁରେ ଆମ୍ବ ବଗିଚା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ୨୦୧୭ ମସିହାରେ ଶିକ୍ଷକ ଜୀବନରୁ ଅବସର ନେବା ପରେ ଚାଷ କାମକୁ ଆପଣାଇଛନ୍ତି । ୫ ଏକର ଜାଗାରେ ୬ ଶହ ଆମ୍ବ ଗଛ ଲଗାଇ ଅଧିକ ରୋଜଗାର କରିବା ସହ ପରିବେଶକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।
ବର୍ତ୍ତମାନ ତାଙ୍କ ଆମ୍ବ ବଗିଚାରେ ୧୬ଟି କିସମର ଆମ୍ବ ଗଛ ରହିଛି । ହେମ ସାଗର, ଲେଙ୍ଗଡ଼ା, ବମ୍ବେଗ୍ରିନ୍, କଳାପାହାଡ଼, ସିନ୍ଧୁ, କାବେରୀ, ଚଉସା, ଆମ୍ରପଲି, ଚେରକୁରେସମ, ବାଇଗଣପଲେଇ, ମଲିକା ଏବଂ ରତ୍ନ ଭଳି ବିଭିନ୍ନ ପ୍ରକାରର ଆମ୍ବଗଛ ରହିଛି । ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପାଇଁ ପ୍ରତିଦିନ ୬ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି । ଆଉ କିଛି ଦିନ ପରେ ଏହି ଆମ୍ବ ସୁଦୂର ମୁମ୍ବାଇ, ରାୟପୁର, ବିହାର ଏବଂ ଦିଲ୍ଲୀକୁ ବିକ୍ରି ପାଇଁ ପଠାଯିବ। ବର୍ଷକୁ ଆମ୍ବ ବିକ୍ରି କରି ୫ ରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ପାଉଛନ୍ତି ।
ଜଣେ ସଫଳ ଆମ୍ବ ଚାଷୀ ପାଇଁ ୨୦୦୩ ମସିହାରେ ଶ୍ରେଷ୍ଠ କୃଷକ ଭାବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ପୁରସ୍କୃତ ହୋଇଥିଲେ ପ୍ରକାଶ । ଏହା ସହ ଆଗୁଆ ଚାଷୀ ଭାବେ ୧୯୭୫ ମସିହାରେ ପୁରସ୍କୃତ ହୋଇଥିଲେ । ପ୍ରକାଶ ବର୍ତ୍ତମାନ ଜଣେ ସଫଳ ଆମ୍ବ ଚାଷୀ ଭାବେ ଅଞ୍ଚଳରେ ବେଶ ପରିଚିତ ।