କନକ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏ ବ୍ୟକ୍ତିଙ୍କ ଭିଡିଓ । ଜଣେ ବୟୋବୃଦ୍ଧ ଏକ ଟ୍ରଲି ଧରି ଟାଣି ଟାଣି ନେଉଛନ୍ତି  । ମଝିରେ ମଝିରେ  ରହି  ରାସ୍ତା ଉପରୁ ଅଳିଆ ଗୋଟାଇ ଟ୍ରଲିରେ ପକାନ୍ତି । ଅତି ସାଧାରଣ ଦେଖାଯାଉଥିବା ଏ ବ୍ୟକ୍ତି ଜଣଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ ।

Advertisment

ଏ ହେଉଛନ୍ତି ୮୮ ବର୍ଷୀୟ ଅବସରପ୍ରାପ୍ତ ଆଇପିଏସ୍ ଇନ୍ଦ୍ରଜିତ୍ ସିଂହ ସିଦ୍ଧୁ । କାହାର ସାହାଯ୍ୟ ନନେଇ ଏକା ଏକା ନିଜେ ଚଳାଇଛନ୍ତି ସ୍ବଚ୍ଛତା ଅଭିଯାନ ।ଇନ୍ଦ୍ରଜିତ୍ ସିଂ ସିଦ୍ଧୁ ୧୯୬୪ ବ୍ୟାଚର ଆଇପିଏସ୍  ।ଏବେ ଚଣ୍ଡିଗଡ଼ରେ ଅବସରପ୍ରାପ୍ତ ଆଇଏସ୍ ଓ ଆଇପିଏସ୍ ରହୁଥିବା ସେକ୍ଟର ୪୯ରେ ରହୁଛନ୍ତି । ଏବେ ତାଙ୍କୁ ସଫେଇ କାମକୁ ନେଇ ସାରା ଦେଶରେ ଚର୍ଚ୍ଚା ।

ଇନ୍ଦ୍ରଜିତଙ୍କ ସଫେଇ ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ  ମହିନ୍ଦ୍ରା ଗ୍ରୁପ୍ ଅଫ୍ କମ୍ପାନିର ମାଲିକ ଆନନ୍ଦ ମହିନ୍ଦ୍ରା । ମହିନ୍ଦ୍ରାଙ୍କ ସୂଚନା ମୁତାବକ, ଇନ୍ଦ୍ରଜିତଙ୍କୁ ଆସି ୮୮ ବର୍ଷ ହେଲାଣି । କିନ୍ତୁ ସବୁବେଳେ ତାଙ୍କୁ ପରିବେଶ ଚିନ୍ତା । କିପରି ପୂରା ଅଞ୍ଚଳ ପରିଷ୍କାର ରହିବ, ସମସ୍ତେ ସୁସ୍ଥ ରହିବେ ସବୁବେଳେ ତାଙ୍କର ଏହି ଚିନ୍ତା । ଏକଦା ଚଣ୍ଡିଗଡ଼କୁ ସ୍ବଚ୍ଛତା କ୍ଷେତ୍ରରେ ସର୍ବନିମ୍ନ ସ୍ଥାନ ମିଳିଥିଲା, ଯାହା ଇନ୍ଦ୍ରଜିତଙ୍କୁ ବିଚଳିତ କରିଥିଲା । ସେବେଠୁ ସେ ଶପଥ କଲେ ଯାହା ବି ହୋଇଯାଉ ସେ ନିଜ ଅଞ୍ଚଳର ରାସ୍ତାଘାଟକୁ ସଫା ରଖିବେ । ବାସ୍ ସେବେଠୁ ଭୋରୁ ଭୋରୁ ଏକ ଠେଲାଗାଡ଼ି ନେଇ ରାସ୍ତାକୁ ବାହାରିପଡ଼ନ୍ତି । ଆଉ ସବୁ ଅଳିଆକୁ ନିଜେ ଗୋଟେ ଠେଲାଗାଡ଼ିରେ ପକାଇ ନେଇ ଡମ୍ପିଂୟାଡରେ ପକାନ୍ତି । 

ଇନ୍ଦ୍ରଜିତଙ୍କ କହିବା କଥା, ଏ ଅଭିଯାନରେ ସେ କାହାରି ସାହାଯ୍ୟ ମାଗିନାହାଁନ୍ତି। ବରଂ ସେ ଏକୁଟିଆ ଏହି ଅଭିଯାନର ସାରଥୀ ସାଜିଛନ୍ତି । ହଁ କେହି ଯଦି ତାଙ୍କୁ ସ୍ବଇଚ୍ଛାରେ ସାହାଯ୍ୟ କରେ ମନାନାହିଁ । ତାଙ୍କ କହିବା କଥା, ପ୍ରଥମେ ନିଜେ ବଦଳିଲେ ନିଜର ଚାରିପଟେ ବଦଳିବା ଆରମ୍ଭ ହେବ । ପୂରା ସମାଜରେ ପରିବର୍ତ୍ତନ ଆସିବ । 
 ସ୍ବଭାବରେ ଅତି ଶାନ୍ତ ।  ଦେହରେ ତାଙ୍କର ହୁଏତ ପୂର୍ବ ଭଳି ବଳ ନାହିଁ, କିନ୍ତୁ ତାଙ୍କ ପାଦ ଥକିନି । ତାଙ୍କ ଇଚ୍ଛାର ପରିସମାପ୍ତି ନାହିଁ । ବାସ୍ତବରେ ସେ ’ସ୍ବଚ୍ଛ ସଡ଼କର ଶାନ୍ତ ଯୋଦ୍ଧା’ । ସମାଜ ପାଇଁ ଜଣେ ପ୍ରେରଣା । ଇନ୍ଦ୍ରଜିତ୍ ସିଂ ସିଦ୍ଧୁଙ୍କୁ ସଲାମ୍ ।