କନକ ବ୍ୟୁରୋ: ପଞ୍ଜାବର ଲୁଧିଆନା ପଶ୍ଚିମ ସମେତ ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି । ପାଞ୍ଚଟି ଆସନ ମଧ୍ୟରୁ ଆମ ଆଦମୀ ପାର୍ଟି ଦୁଇଟି ଆସନ ଦଖଲ କରିଛି । ସେହିପରି ବିଜେପି, କଂଗ୍ରେସ ଏବଂ ଟିଏମସିକୁ ଗୋଟିଏ ଲେଖାଏଁ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି ।

Advertisment

ନିର୍ବାଚନ କମିସନଙ୍କ ଅନୁଯାୟୀ, ଆମ ଆଦମୀ ପାର୍ଟିର ପ୍ରାର୍ଥୀ ସଞ୍ଜୀବ ଆରୋରା ଲୁଧିଆନା ପଶ୍ଚିମ ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି, ଆଉ ଆପ୍ ପ୍ରାର୍ଥୀ ଗୋପାଳ ଇଟାଲିଆ ଗୁଜରାଟର ବିସାବାଦର ଆସନରୁ ୧୭୫୮୧ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଛାବ୍ରା ଗୁଜରାଟର କାଡି (ଏସସି) ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ରମେଶ ଛାବ୍ରାଙ୍କୁ ୩୯,୪୫୨ ଭୋଟରେ ପରାସ୍ତ କରିଛନ୍ତି ।

ଏହା ବ୍ୟତୀତ ପଶ୍ଚିମବଙ୍ଗର କାଲିଗଞ୍ଜ ଉପନିର୍ବାଚନରେ ଟିଏମସି ପ୍ରାର୍ଥୀ ଆଲିଫା ଅହମ୍ମଦ ବିଜେପି ପ୍ରାର୍ଥୀ ଆଶିଷ ଘୋଷଙ୍କୁ ୪୮,୬୭୩ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସେହିପରି କେରଳର ନିଲାମ୍ବୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଆର୍ଯ୍ୟଦାନ ଶୌକତ ବିଜୟୀ ହୋଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ ଗୁରୁବାର ଦିନ ପଞ୍ଜାବର ଲୁଧିଆନା ପଶ୍ଚିମ, ପଶ୍ଚିମବଙ୍ଗର କାଲିଗଞ୍ଜ, ଗୁଜରାଟର ବିଦାଶ୍ୱର-କାଡି ଏବଂ କେରଳର ନିଲାମ୍ବୁର ସମେତ ପାଞ୍ଚଟି ବିଧାନସଭା ଆସନରେ ମତଦାନ ହୋଇଥିଲା । ଲୁଧିଆନା ପଶ୍ଚିମ ଶାସକ ଆମ ଆଦମୀ ପାର୍ଟି ପାଇଁ ବହୁତ ସ୍ୱତନ୍ତ୍ର, କାରଣ ଆପ ଏହି ଆସନରୁ ଏହାର ରାଜ୍ୟସଭା ସାଂସଦ ଏବଂ ଶିଳ୍ପପତି ସଞ୍ଜୀବ ଆରୋରାଙ୍କୁ ପ୍ରାର୍ଥୀ କରିଥିଲା । ଏହି ଆସନରୁ କଂଗ୍ରେସ ବରିଷ୍ଠ ନେତା ଭାରତ ଭୂଷଣ ଆଶୁଙ୍କୁ, ବିଜେପି ଜୀବନ ଗୁପ୍ତାଙ୍କୁ ଏବଂ ଶିରୋମଣି ଅକାଳୀ ଦଳ (ଏସଏଡି) ପରରୂପକର ସିଂହ ଘୁମାନଙ୍କୁ ପ୍ରାର୍ଥୀ କରିଥିଲା ।

ଗୁଜୁରାଟ, ପଶ୍ଚିମବଙ୍ଗ ଏବଂ ପଞ୍ଜାବର ଗୋଟିଏ ଲେଖାଏଁ ଆସନରେ ବିଧାୟକଙ୍କ ମୃତ୍ୟୁ ପରେ ଏହି ବିଧାନସଭା ଆସନଗୁଡ଼ିକ ଖାଲି ପଡ଼ିଥିଲା । ସେହିପରି ବିଧାୟକମାନଙ୍କ ଇସ୍ତଫା ପରେ କେରଳ ଏବଂ ଗୁଜୁରାଟରେ ଅନ୍ୟ ଏକ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ମୁକ୍ତ ଏବଂ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିସନ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ପ୍ରଶାସନ ଏହି ସମୟ ମଧ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରିଥିଲା ।