କନକ ବ୍ୟୁରୋ: ଭୋଟ୍ ଚୋରି ଓ ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ ଆଣି ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କୁ ବାରମ୍ବାର ଟାର୍ଗେଟ୍ କରିଆସୁଛନ୍ତି । ଏସବୁ ଭିତରେ ନିର୍ବାଚନ କମିସନ ଉତ୍ତର ରଖିଛନ୍ତି । କମିସନ କହିଛନ୍ତି, ଭୋଟର ତାଲିକା ପ୍ରସ୍ତୁତିର ସମସ୍ତ ପର୍ୟ୍ୟାୟରେ ରାଜନୈତିକ ଦଳଗୁଡ଼ିକ ସାମିଲ ରହିଥାନ୍ତି । ଡ୍ରାଫ୍ଟ ଭୋଟର ତାଲିକାର ହାର୍ଡ କପି ଏବଂ ଡିଜିଟାଲ୍ କପି ସମସ୍ତ ରାଜନୈତିକ ଦଳଙ୍କୁ ପ୍ରଦାନ କରାଯାଇଥାଏ । ଆହୁରି ମଧ୍ୟ ଏଗୁଡ଼ିକୁ ନିର୍ବାଚନ କମିସନଙ୍କ ୱେବସାଇଟରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଥାଏ । ତାହାପରେ ଆପତ୍ତି ଅଭିଯୋଗ ଜଣାଇବାକୁ ଗୋଟିଏ ମାସ ସମୟ ଦିଆଯାଇଥାଏ  । ଏହା ପରେ ଚୂଡାନ୍ତ ଭୋଟର ତାଲିକାକୁ ବି ରାଜନୈତିକ ଦଳମାନଙ୍କ ସହ ସେୟାର କରାଯାଇଥାଏ ଓ ଦ୍ବିସ୍ତରୀୟ ଅପିଲ ବ୍ୟବସ୍ଥା ଉପଲବ୍ଧ କରାଯାଇଥାଏ ।

Advertisment

କେତେକ ରାଜ୍ନୈତିକ ଦଳର ବୁଥସ୍ତରୀୟ ଏଜେଣ୍ଟମାନେ ସମୟ ଥାଉ ଥାଉ ତ୍ରୁଟିଗୁଡ଼ିକ ସମ୍ପର୍କରେ ଅପିଲ କରିନଥିଲେ । ଯଦି ଅପିଲ କରାଯାଇଥାନ୍ତା, ତାହାର ସମାଧାନ ହୋଇପାରିଥାନ୍ତା ବୋଲି ନିର୍ବାଚନ କମିସନ କହିଛନ୍ତି । ଏହାସହ ଆଜି ନିର୍ବାଚନ କମିସନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହେବାର ଅଛି । ସେପଟେ ରାହୁଲ ଗାନ୍ଧୀ ଆଜିଠାରୁ ବିହାରରେ ‘ଭୋଟ୍ ଅଧିକାର ଯାତ୍ରା’ ଆରମ୍ଭ କରୁଛନ୍ତି   ।