କନକ ବ୍ୟୁରୋ: କର୍ଣ୍ଣାଟକ ଉଡୁପ୍ପିର ନାରାୟଣ ନାଏକ୍ , ବୟସ ୮୦ ହେଲାଣି । ଏ ବୟସରେ ସେ ଘରେ ବିଶ୍ରାମ ନେଇ ନାତି ନାତୁଣୀଙ୍କ ସହ ସମୟ କାଟିବା କଥା। କିନ୍ତୁ ନା ସକାଳ ହେଲେ ନିଜ ପୁରୁଣା ହୋଣ୍ଡା ବାଇକ୍ ଧରି ଘରୁ ବାହାରିପଡ଼ନ୍ତି। ବିଭିନ୍ନ ସରକାରୀ , ସ୍କୁଲ କଲେଜ୍ ,ଘରୁ ଘର ବୁଲନ୍ତି । ଲକ୍ଷ୍ୟ କୌଣସି ଗରିବ ପିଲା ଅର୍ଥ ଅଭାବରୁ ଶିକ୍ଷା ପାଇବାରୁ ବାଦ୍ ନପଡନ୍ତୁ । ତେଣୁ ସ୍କୁଲରୁ ସ୍କୁଲ ଓ କଲେଜରୁ କଲେଜ ବୁଲି ବୁଲି ପିଲାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଶିକ୍ଷକଙ୍କ ସହ ଆଲୋଚନା କରନ୍ତି । ସେମାନଙ୍କ ମଧ୍ୟରୁ କୌଣସି ମେଧାବୀ ଛାତ୍ର ଛାତ୍ରୀ ଯଦି ଆର୍ଥିକ ସମସ୍ୟା ଦେଇ ଗତି କରୁଥାନ୍ତି ସେମାନଙ୍କ ଅଭିଭାବକଙ୍କ ସହ ଦେଖା କରନ୍ତି ଏବଂ ପ୍ରକୃତ ସତ୍ୟତାରେ ପହଞ୍ଚିବା ପରେ ତାଙ୍କ କାମ ଆରମ୍ଭ କରିଦିଅନ୍ତି । ପିଲାଟି ପାଇଁ ସ୍କଲାରସିପ୍ ବା ବୃତ୍ତି ପାଇବା କାମ କରନ୍ତି । ପିଲାଟି ଯେପରି ବୃତ୍ତି ଟଙ୍କାରେ ପାଠ ପଢ଼ିପାରିବ , ସେଥିପାଇଁ ଶେଷ ପର୍ଯ୍ୟନ୍ତ ଲାଗିପଡ଼ନ୍ତି ।
ତାଙ୍କର ଏପରି ଯୋଶ୍ ଯେ କୋଟିଏ ମାସରେ ସେ ଦକ୍ଷିଣ କନ୍ନଡ଼ ଓ ଉଡୁପିର ୨୦୦ ସ୍କୁଲ , କଲେଜ୍ ପରିଦର୍ଶନ କରିବାର ରେକର୍ଡ କରିଛନ୍ତି । କେବଳ ପିଲାଙ୍କ ସହ ଆଲୋଚନା ନୁହେଁ ଗରୀବ ଅଭାବୀ ପିଲାଙ୍କୁ ଛାତ୍ର ବୃତ୍ତି ବ୍ୟବସ୍ଥା ରଖିଥିବା ସରକାରୀ ଓ ବେସରକାରୀ ସବୁ ବୃତ୍ତିର ତଥ୍ୟ ତାଙ୍କ ପାଖରେ । ସେସବୁ ବୃତ୍ତି କିପରି ପାଇହେବ ସେକଥା ବି ତାଙ୍କୁ ବେଶ୍ ଭଲ ଭାବେ ଜଣା ।
ପିଲାର ଆର୍ଥିକ ଓ ପାରିବାରିକ,ଏବଂ ଜାତିଗତ ତଥ୍ୟ ଜାଣିବା ପରେ ସେମାନେ କେଉଁ ବୃତ୍ତି ପାଇପାରିବେ ସେ ଦେଇ ସେମାନଙ୍କୁ ଜଣାଇ ଥାନ୍ତି। ଏବଂ ନିଜେ ଫର୍ମ ଆଣି ସେମାନଙ୍କଦ୍ବାରା ପୂରଣ କରାନ୍ତି । ସେମାନଙ୍କୁ ବୃତ୍ତି ମିଳିବା ପରେ ସେ ଆଶ୍ବସ୍ତ ହୁଅନ୍ତି ।
ନାରାୟଣ ସାରଙ୍କ କହବା କଥା, ଶିକ୍ଷା ହିଁ ମଣିଷକୁ ସମର୍ଥ କରିପାରିବ । ସେ ଜଣେ ଶିକ୍ଷକ ଭାବେ ଏକଥାକୁ ଭଲ ଭାବେ ଜାଣିଛନ୍ତି । ସେ ନିଜେ ଏକ ଗରିବ ପରିବାରରେ ବଢ଼ିଛନ୍ତି । ତାଙ୍କ ପରିବାରର ଅବସ୍ଥା ଏତେ ଖରାପ ଥିଲା ଯେ ପଞ୍ଚମରୁ ହିଁ ତାଙ୍କ ପାଠପଢ଼ା ବନ୍ଦ କରିଦେବାକୁ ତାଙ୍କ ବାପା କହିଥିଲେ । କିନ୍ତୁ ସେ ଜିଦି କରି ପାଠ ପଢ଼ିଲେ । ୧୬ କିଲୋମିଟର ବାଟ ଚାଲି ଜାଲି ସ୍କୁଲ ଯାଉଥିଲେ । ଭାରି କଷ୍ଟରେ ବିଏଡ୍ କଲେ। ଭଗବାନଙ୍କ କୃପାରୁ ପ୍ରଥମେ ପ୍ରାଇମେରୀ ସ୍କୁଲରେ ଏବଂ ପରେ ହାଇସ୍କୁଲରେ ଚାକିରି ମିଳିଲା। ଶେଷରେ ସ୍କୁଲ ଇନ୍ସପେକ୍ଟର ଭାବେ ଅବସର ନେଲେ । ଅଭାବ ଭିତରେ ପାଠ ପଢାର କଷ୍ଟ ସେ ଜାଣିଛନ୍ତି । ତେଣୁ କୌଣସି ପିଲା ଅର୍ଥାଭାବ ଯୋଗୁଁ ପାଠ ନଛାଡୁ ଏହାହିଁ ତାଙ୍କ ଲକ୍ଷ୍ୟ । ଏଥିପାଇଁ ସେ ଜୀବନର ଶେଷ ଯାଏଁ କାମ କରିବେ ।
ତାଙ୍କ ବୃତ୍ତିରେ ଅନେକ ପିଲା ପାଠ ପଢ଼ି ଉଚ୍ଚ ପଦବୀରେ ରହିଲେଣି । ତାଙ୍କର ଏହି କାମ ପାଇଁ ସେ ’ ସ୍କଲାରସିପ୍ ମାଷ୍ଟର’ ଭାବେ ପରିଚିତ । ତାଙ୍କୁ ଦେଖିଲେ ସ୍କୁଲ କଲେଜର ଶିକ୍ଷକ, ଶିକ୍ଷୟିତ୍ରୀ ଭାରି ସମ୍ମାନ ଦିଅନ୍ତି । ନାରାୟଣ ସାରଙ୍କ ଏଅଭିଯାନ କହୁଛି, ଜୀବନ ଅଛି ତ ମୃତ୍ୟୁ ତ ନିଶ୍ଚିତ । କିନ୍ତୁ ଏ ଜୀବନ ମୃତ୍ୟର ଅବଧି ଭିତରେ କିନ୍ତୁ ଏମିତି କିଛି କାମ କରିବାକୁ ପଡ଼ିବ ଯାହା ଅନ୍ୟର ମୁହଁରେ ହସ ଟିକେ ଦେବ । ଏତିକିରେ ତ ଜୀବନର ସାର୍ଥକତା… ଆଉ କ’ଣ?