କନକ ବ୍ୟୁରୋ : ଚିରାଗଙ୍କ ଏଭଳି ଇସାରା ଆଗାମୀ ଦିନରେ ଏନଡିଏରେ ହଲଚଲ ସୃଷ୍ଟି କରିବ । ଗତ ଲୋକସଭା ନିର୍ବାଚନରେ ଆସନ ବୁଝାମଣା ଆଧାରରେ ଚିରାଗ ଏଲଜେପିକୁ ମିଳିଥିବା ସମସ୍ତ ୫ଟି ଲୋକସଭା ଆସନ ଜିତିଥିଲା । ଏହି ଆଧାରରେ ଏଲଜେପିକୁ ଅଧିକ ଆସନ ଦେବା ପାଇଁ ଚିରାଗ ଅଡି ବସିବା ସ୍ବାଭାବିକ । ତାଛଡା ଚିରାଗ ନିଜେ ପ୍ରତିଦ୍ବନ୍ଦିତା କଲେ ଦଳ ଅଧିକ ସଫଳତା ପାଇବ ବୋଲି ଆଶା ରଖିଛି । ସେଥିପାଇଁ ଏବେଠାରୁ ଏଭଳି ଇସାରା ଶୁଣିବାକୁ ମିଳିଲାଣି ।
ସମାଜରେ ସମସ୍ତ ବର୍ଗରେ ଏଲଜେପିର ଗ୍ରହଣୀୟତାକୁ ବଢ଼ାଇବାକୁ ପାଇଁ ଚିରାଗ ସଂରକ୍ଷିତ ବଦଳରେ ସାଧାରଣ ଆସନରୁ ଲଢ଼ିବାକୁ ମନସ୍ଥ କରିଛନ୍ତି । ମାତ୍ର ଏସବୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇପାରେ । ଗତ ବିଧାନସଭା ନିର୍ବାଚନରେ ଏନଡିଏରେ ଥାଇ ମଧ୍ୟ ଜେଡିୟୁକୁ ବିରୋଧ କରି ଏଲ୍ଜେପି ୧୩୫ ବିଧାନସଭା ଆସନରେ ଲଢ଼ିଥିଲା । ଏସବୁ ଆସନରେ ମୁଖ୍ୟତଃ ଏନଡିଏ ତରଫରୁ ଜେଡିୟୁ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଥିଲା । ଯାହା ଫଳରେ ଜେଡିୟୁ ଶହେରୁ ଅଧିକ ଆସନ ଲଢ଼ିଥିଲେ ମଧ୍ୟ ମାତ୍ର ୪୩ ଆସନ ଜିତିଥିଲା । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିଜ ଦଳ ଜେଡିୟୁ ଏହି ସର୍ବକାଳୀନ ସର୍ବନିମ୍ନ ସଂଖ୍ୟା ପାଇଁ ଏଲଜେପିକୁ ଦାୟୀ କରିଥିଲା । ଏବେ ଏହାର ପୁର୍ନରାବୃତ୍ତି ନହେଲେ ମଧ୍ୟ ଆସନ ଭାଗବଣ୍ଟାରେ ନିଜ ଦଳ ଜେଡିୟୁର ଆସନ ସଂଖ୍ୟା କମିବା ଆଶଙ୍କା ଅଛି ବୋଲି ନୀତୀଶ କୁମାର ଆଶଙ୍କା କରୁଛନ୍ତି ।
ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟକୁ ନେଇ ବିଭିନ୍ନ ଖବର ପ୍ରକାଶ ପାଉଛି । ଏପରିକି ତାଙ୍କ ଭଳିକି ଭଳି ବିଚିତ୍ର କାରନାମା ସବୁବେଳେ ସୋସିଆଲ ମିଡିଆରେ ଘୂରିବୁଲୁଛି । ଏହି ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ ଏନଡିଏରେ ବିଜେପିର ଘନିଷ୍ଠ ସହଯୋଗୀ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଚାହୁଁଛନ୍ତି । ଯାହାଫଳରେ ରାଜ୍ୟରେ ଜେଡିୟୁ ପରିବର୍ତ୍ତେ ଏନଡିଏରେ ଏଲଜେପିର ଦବଦବା ରହିବ ।