କନକ ବ୍ୟୁରୋ : ଗୋଟିଏ ପଟେ ଟାରିଫ୍ ଲଗାଇ ଟ୍ରମ୍ପ ଭାରତର ଚିନ୍ତା ବଢ଼ାଉଥିବା ବେଳେ ଆଉ ଗୋଟିଏ ପଟେ ଟ୍ରମ୍ପଙ୍କ ଉପରେ ପ୍ରୟୋଗ ହୋଇଛି ବିହାରୀ ବୁଦ୍ଧି । ଆଉ ଏହି ବିହାରୀ ବୁଦ୍ଧି ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । କାରଣ ବିହାରରେ ଆବାସ ପ୍ରମାଣପତ୍ର ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ସାମ୍ନାକୁ ଆସିଛି । କେହି ଜଣେ ବିହାରୀ ବୁଦ୍ଧି ଲଗାଇ ଟ୍ରମ୍ପଙ୍କ ନାଁରେ ଏପରି ନକଲି ପ୍ରମାଣପତ୍ର ଆବେଦନ କରିଥିବା କୁହାଯାଉଛି । ପ୍ରକୃତରେ, ଏକ ଆବାସିକ ପ୍ରମାଣପତ୍ର ଭାଇରାଲ ହେଉଛି ଯେଉଁଥିରେ ତାଙ୍କୁ ବିହାରର ସମସ୍ତିପୁରର ବାସିନ୍ଦା ବୋଲି ଦର୍ଶାଯାଉଛି । ତାଙ୍କ ନାମରେ ଏହି ସାର୍ଟିଫିକେଟ୍ ମୋହିଉଦ୍ଦିନ ନଗର ବ୍ଲକରେ ଜାରି କରାଯାଇଛି । ଏଥିରେ ଆବେଦନର ତାରିଖ ମଧ୍ୟ ଲେଖାଯାଇଛି । ଏହାର ଆବେଦନ ୨୯ ଜୁଲାଇ ୨୦୨୫ରେ କରାଯାଇଥିଲା ।
ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ପୁନରୀକ୍ଷଣ ପ୍ରକ୍ରିୟାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସମସ୍ତିପୁର ଜିଲ୍ଲାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଏକ ଆବାସିକ ପ୍ରମାଣପତ୍ର ପାଇଁ ଅନଲାଇନରେ ଆବେଦନ କରାଯାଇଥିବା ଜଣାପଡିଛି । ଏହି ଘଟଣା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିବା ବେଳେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି ।
ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୨୯ ତାରିଖରେ ସମସ୍ତିପୁର ଜିଲ୍ଲାର ମୋହିଉଦ୍ଦିନ ନଗର ବ୍ଲକର ସରକାରୀ ପୋର୍ଟାଲରେ ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଏକ ଆବାସିକ ପ୍ରମାଣପତ୍ର ପାଇଁ ଆବେଦନ କରାଯାଇଥିଲା । ଆବେଦନକାରୀ ଟ୍ରମ୍ପଙ୍କ ଫଟୋ ବ୍ୟବହାର କରିବା ସହିତ ଠିକଣା ଭାବେ ହସନପୁର ଗାଁର ନାମ ଉଲ୍ଲେଖ କରିଥିଲେ । ଏପରିକି, ଆବେଦନପତ୍ରରେ ଟ୍ରମ୍ପଙ୍କ ପ୍ରକୃତ ପିତାମାତାଙ୍କ ନାମ, ଫ୍ରେଡେରିକ୍ କ୍ରିଷ୍ଟ ଟ୍ରମ୍ପ ଓ ମେରି ଆନ୍ ମାକ୍ଲିଓଡ୍ ବୋଲି ଦର୍ଶାଯାଇଥିଲା ।
ପ୍ରଶାସନର ଯାଞ୍ଚ ସମୟରେ ଏହି ଜାଲିଆତି ଧରାପଡିଥିଲା ଏବଂ ଅଗଷ୍ଟ ୪ ତାରିଖରେ ଆବେଦନଟିକୁ ଖାରଜ କରିଦିଆଯାଇଥିଲା । ସମସ୍ତିପୁର ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ କୌଣସି ପ୍ରମାଣପତ୍ର ଜାରି କରାଯାଇ ନାହିଁ ଏବଂ ଏହି କାର୍ଯ୍ୟ ପଛରେ ଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସାଇବର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।
ନିର୍ବାଚନ ଆୟୋଗଙ୍କ ଅନୁସାରେ, ଭୋଟର ତାଲିକାକୁ ଅପଡେଟ୍ ଓ ତ୍ରୁଟିମୁକ୍ତ କରିବା ପାଇଁ SIR ପ୍ରକ୍ରିୟା ଜରୁରୀ । ଏହାଦ୍ୱାରା ମୃତ, ସ୍ଥାନାନ୍ତରିତ ଏବଂ ନକଲି ଭୋଟରଙ୍କୁ ଚିହ୍ନଟ କରାଯାଉଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚାଲିଥିବା ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବା ପାଇଁ ଏଭଳି କାର୍ଯ୍ୟ କରାଯାଇଛି । ଏହି ଘଟଣା ସରକାରୀ ବ୍ୟବସ୍ଥାର ଅପବ୍ୟବହାର ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ନିର୍ବାଚନ ଆୟୋଗ ।