କନକ ବ୍ୟୁରୋ: ଗତ ଶନିବାର ଆଲାସ୍କାରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ବୈଠକ କରିଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ବୈଠକ ଉପରେ ସମଗ୍ର ବିଶ୍ୱର ନଜର ରହିଥିଲା । ରିପୋର୍ଟ ମୁତାବକ ବୈଠକ ପରେ ଟ୍ରମ୍ପ୍ ୟୁରୋପୀୟ ସଂଘର ନେତାମାନଙ୍କୁ ସୂଚନା ଦେଇଛନ୍ତି ଯେ ସେ ଯୁଦ୍ଧକୁ ସମାପ୍ତ କରିବା ପାଇଁ ୟୁକ୍ରେନକୁ ତାର ପୂର୍ବ ଡୋନବାସ ଅଞ୍ଚଳର ଅବଶିଷ୍ଟ ଅଂଶ ଋଷକୁ ହସ୍ତାନ୍ତର କରିବା ଦାବିକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ପ୍ରସ୍ତାବ କେବଳ ଏକ ଅସ୍ତ୍ରବିରତି ନୁହେଁ, ବରଂ ଏକ ବ୍ୟାପକ ଶାନ୍ତି ଚୁକ୍ତି ଉପରେ ଆଧାରିତ ବୋଲି କୁହାଯାଉଛି । କିନ୍ତୁ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ ।

Advertisment

ପୁଟିନଙ୍କ ଦାବି ଅନୁଯାୟୀ, ଯଦି ୟୁକ୍ରେନ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି ସଂଘର୍ଷକୁ ବନ୍ଦ କରିବାକୁ ଚାହେ, ତେବେ ତାକୁ ସମ୍ପୂର୍ଣ୍ଣ ଡୋନେସ୍କ ଅଞ୍ଚଳକୁ ଛାଡ଼ିବାକୁ ହେବ । ଯାହା ଡୋନବାସର ଏକ ବଡ଼ ଅଂଶ । ଏପର୍ଯ୍ୟନ୍ତ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଋଷ ନିୟନ୍ତ୍ରଣକୁ ଆସି ପାରିନାହିଁ । ଡୋନବାସର ଅନ୍ୟ ଏକ ଅଂଶ ହେଉଛି ଲୁହାନସ୍କ, ଯାହା ପୂର୍ବରୁ ହିଁ ଋଷ ସେନାର କବଜାରେ ରହିଛି 


ତେବେ ଏହି ପ୍ରସ୍ତାବକୁ କଠୋର ବିରୋଧର ସାମ୍ନା କରିବାକୁ ପଡ଼ୁଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି, ଆଲାସ୍କା ବୈଠକ ପରେ ଟ୍ରମ୍ପଙ୍କ ସହ ଏକ ଫୋନ୍‌ କଲରେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ରିପୋର୍ଟ ରହିଛି । ଜେଲେନସ୍କି ବାରମ୍ବାର କହିଛନ୍ତି ଯେ ୟୁକ୍ରେନର ଅଞ୍ଚଳକୁ ଛାଡିବା ଏକ ବିକଳ୍ପ ନୁହେଁ ଏବଂ ଏହା କେବଳ ଭବିଷ୍ୟତରେ ଋଷର ଆକ୍ରମଣକୁ ପ୍ରୋତ୍ସାହନ କରିବା ଭଳି ।

ରିପୋର୍ଟ ଅନୁଯାୟୀ, ସୋମବାର ଦିନ ହ୍ଵାଇଟ ହାଉସରେ ଟ୍ରମ୍ପ ପୁଣିଥରେ ଜେଲେନସ୍କିଙ୍କ ଉପରେ ଏହି ପ୍ରସଙ୍ଗରେ ଚାପ ପକାଇବାକୁ ଚେଷ୍ଟା କରିବେ । ଏହି ପ୍ରସ୍ତାବର ଏକ ମୁଖ୍ୟ ଅଂଶ ଭାବରେ, ଋଷ ଡୋନେସ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବଦଳରେ ୟୁକ୍ରେନର ଅନ୍ୟ ଅଂଶରେ କବଜା କରିଥିବା କିଛି ଛୋଟ ଅଞ୍ଚଳକୁ ଫେରାଇ ଦେବାକୁ ପ୍ରସ୍ତାବ ଦେଇଥିବା ଜଣାପଡିଛି ।

ଏହି ଘଟଣାକୁ ନେଇ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି ଯେ ଟ୍ରମ୍ପ ହୁଏତ ପୁଟିନଙ୍କ ଦୀର୍ଘ ମିଆଦି ଉଦ୍ଦେଶ୍ୟକୁ ପୂରଣ କରିବାରେ ସହାୟତା କରୁଛନ୍ତି । ଏକ ଅସ୍ତ୍ରବିରତିକୁ ବାଇପାସ୍ କରି ଏକ ଶାନ୍ତି ଚୁକ୍ତିକୁ କିଛି ଲୋକେ ମସ୍କୋ ପାଇଁ ଲାଭଦାୟକ ବୋଲି ବିବେଚନା କରୁଛନ୍ତି ।
ୟୁକ୍ରେନ ପାଇଁ, ଖଣିଜ ସମ୍ପଦରେ ଭରପୂର ଡୋନବାସ ଅଞ୍ଚଳର ରଣନୈତିକ ଏବଂ ଅର୍ଥନୈତିକ ଗୁରୁତ୍ୱ ଅନେକ । ଏହାଛଡ଼ା ଡୋନବାସକୁ ହସ୍ତାନ୍ତର କରିବା ଦ୍ୱାରା ୟୁକ୍ରେନର ସୁରକ୍ଷା ବିପଦରେ ପଡ଼ିପାରେ । କାଣର ଏଠାରେ ୟୁକ୍ରେନ୍‌ର ପ୍ରତିରକ୍ଷା ଲାଇନ ରହିଛି । ଏହା ୟୁକ୍ରେନ୍‌ର  ପୂର୍ବ ଭାଗରେ ଋଷକୁ ଏକ ରଣନୈତିକ ସୁବିଧା ଦେବା ସହ ସମାନ ହେବ ।

ପ୍ରସ୍ତାବର ଅନ୍ୟ ବିବରଣୀରୁ ଜଣାପଡିଛି ଯେ ଡୋନବାସର ନିୟନ୍ତ୍ରଣ ବଦଳରେ ପୁଟିନ ଖେରସନ ଏବଂ ଜାପୋରିଝିଆ ଅଞ୍ଚଳରେ ଋଷର ଦକ୍ଷିଣ ଆକ୍ରମଣକୁ "ସ୍ଥଗିତ" ରଖିବାକୁ ରାଜି ହୋଇଛନ୍ତି । ଯାହାର ଅଧିକାଂଶ ଅଂଶ ପୂର୍ବରୁ ହିଁ ମସ୍କୋର ନିୟନ୍ତ୍ରଣରେ ଅଛି । AFP ଦ୍ୱାରା ଏକ ଅଜ୍ଞାତ ସୂତ୍ରରୁ କୁହାଯାଇଛି, "ଯଦି ଋଷର ଦାବି ପୂରଣ ହୁଏ, ତେବେ ପୁଟିନ ଖେରସନ ଏବଂ ଜାପୋରିଝିଆରେ ଆକ୍ରମଣ କରିବେ  ନାହିଁ, ତେଣୁ ସେଠାରେ ଏକ ପ୍ରକାରର ସ୍ଥିତାବସ୍ଥା ରହିବ।"
୬ ବର୍ଷରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ଆଲାସ୍କାରେ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ଏହି ବୈଠକ ଥିଲା । ଉଭୟ ନେତା ଏହାକୁ "ଫଳପ୍ରଦ" ବୋଲି ବର୍ଣ୍ଣନା କରିଛନ୍ତି, ଯଦିଓ କୌଣସି ଆନୁଷ୍ଠାନିକ ଚୁକ୍ତିନାମା ଘୋଷଣା କରାଯାଇ ନାହିଁ । ଶିଖର ସମ୍ମିଳନୀ ପରେ, ଟ୍ରମ୍ପ ସୂଚନା ଦେଇଛନ୍ତି ଯେ ଏବେ ଏକ ଶାନ୍ତି ଚୁକ୍ତି ସହ ଆଗକୁ ବଢିବା ଜେଲେନସ୍କିଙ୍କ ଉପରେ ନିର୍ଭର କରେ ।