କନକ ବ୍ୟୁରୋ :  ରବିଧାନ ବିକିବା ଲାଗି ଚାଷୀ ଟୋକନ ଧରି ବସିଛନ୍ତି । ହେଲେ ମଣ୍ଡିରୁ ଧାନ ଉଠୁନି କି ଆକାଉଣ୍ଟକୁ ଟଙ୍କା ଆସୁନି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଦାସିଗାଁ ଧାନ ମଣ୍ଡି ଏବେ ଅବ୍ୟବସ୍ଥା ଘେରରେ ଚାଲିଛି । ମଣ୍ଡି ପ୍ୟାକ୍ସ ଏବଂ ଏଜେଣ୍ଟଙ୍କ ମଧୁଚନ୍ଦ୍ରିକାରେ ଚାଲିଛି । ଫଳରେ କିଛି ଚାଷୀଙ୍କ ଟୋକନ ଅବଧି ସରିଗଲାଣି । ଦାସିଗାଁ ମଣ୍ଡିରେ ୧୫ହଜାର କ୍ୱଣ୍ଟାଲରୁ ଅଧିକ ଧାନ ପଡିରହିଛି । ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଧାନ ଗୁଡ଼ିକ ଓଦା ହେଉଛି । ସଠିକ ସମୟରେ ଓଜନ ହେଇ ପାରୁନାହିଁ । ଆବଶ୍ୟକ ଅନୁସାରେ ଗାଡ଼ି ମଧ୍ୟ ଆସୁନାହିଁ । ଗୋଟିଏ ଦିନରେ ୨ରୁ ତିନୋଟି ଟ୍ରକ ଆସୁଛି । ସେପଟେ ମଣ୍ଡି କର୍ତ୍ତୃପକ୍ଷ ଚାଷୀଙ୍କ ଧାନ ବଦଳରେ ବେପାରୀଙ୍କ ଧାନ କିଣୁଥିବା ଅଭିଯୋଗ  ହୋଇଛି । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ , ରାଜ୍ୟର ସବୁଆଡ଼େ ମଣ୍ଡି ସମସ୍ୟା ଲାଗି ରହିଛି । କୋରାପୁଟ ଜିଲ୍ଲାରେ ସଠିକ୍‌ ସମୟରେ ମିଲର୍ସ ଆସୁନଥିବାରୁ ଧାନ କିଣାରେ ସମସ୍ୟା ହେଉଛି । ଜିଲ୍ଲାର ଅଧିକାଂଶ ଧାନ ମଣ୍ଡିରୁ ଏଭଳି ସମସ୍ୟା ସଂପର୍କୀତ ଖବର ଆସିଛି । 

Advertisment

କଳାହାଣ୍ଡି ଓ ବଲାଙ୍ଗୀରର ମିଲର୍ସ ଧାନ କିଣୁଛନ୍ତି । ସେମାନେ ବିଭିନ୍ନ ଆଳ ଦେଖାଇ ମଣ୍ଡିରୁ ସିଧାସଳଖ ଚାଷୀଙ୍କ ଠାରୁ ଧାନ ନକିଣି ଏଜେଣ୍ଟଙ୍କ ଠାରୁ ଧାନ କିଣୁଥିବା ଅଭିଯୋଗ ହୋଇଛି । ଝାରସୁଗୁଡ଼ାରେ ତ ସ୍ଥିତି ଆହୁରି ସଙ୍ଗୀନ । ଟୋକନ ଅଛି ହେଲେ ଟାର୍ଗେଟ ନାହିଁ । ଖଳାରେ ଧାନ ଭିଜି ଗଜା ହେବାକୁ ବସିଲାଣି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ହୀରାକୁଦ ବୁଡ଼ି ଅଂଚଳର ଶୁଖିଲା ପଟୁମାଟିରେ ରବି ଧାନ ଚାଷ କରିଥିବା ଚାଷୀଙ୍କ ଦୁଃଖ ସରୁନି । ମାସେ ତଳୁ ଅମଳ ଧାନ ବିକିବା ପାଇଁ ଗତ ୯ ତାରିଖରୁ ଟୋକନ୍ ଆସିଛି । କିନ୍ତୁ ଟାର୍ଗେଟ୍ ନଥିବା କହି ମଣ୍ଡିରୁ ଧାନ ଉଠିପାରୁନି । ସେପଟେ ଖରିଫ ଧାନ ଚାଷ କାମ ଆରମ୍ଭ ହେଲାଣି । ଧାନ ବିକ୍ରି ହୋଇପାରିନଥିବାରୁ ଟଙ୍କା କେଉଁଠୁ ଆସିବ ଚାଷ କେମିତି ହେବ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ।