କନକ ବ୍ୟୁରୋ: ଲଘୁଚାପ ବର୍ଷାରେ ଭିଜିଲା ଧାନ, ବତୁରିଗଲା ଚାଷୀଙ୍କ ବର୍ଷକର ପରିଶ୍ରମ । ରାଜ୍ୟର ଅନେକ ସ୍ଥାନରେ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହୋଇଛି । ଏବେ କ୍ଷତିପୂରଣ ମିଳିବାରେ ଦେଖାଦେଇଛି ଦ୍ବନ୍ଦ୍ବ । ଗ୍ରାଉଣ୍ଡରୁ ସଠିକ୍ ରିପୋର୍ଟ ଆସିପାରୁନି ।

Advertisment

ମୌସୁମୀ ବର୍ଷାରେ ଉଜୁଡ଼ି ଯାଇଛି ରବି ଫସଲ । ଗଜା ହେବାକୁ ବସିଛି ଚାଷୀର କଷ୍ଟ ଉପାର୍ଜିତ ଅମଳ । କିନ୍ତୁ ନା ଠିକ ଭାବେ ସର୍ଭେ ହେଉଛି, ନା ସରକାରଙ୍କୁ ରିପୋର୍ଟ ମିଳୁଛି । ଯେଉଁଥିପାଇଁ ଚାଷୀଙ୍କୁ କ୍ଷତିପୂରଣ ମିଳିବାରେ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ଆଜି ଫସଲ କ୍ଷୟକ୍ଷତି ନେଇ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଓ କୃଷି ସଚିବଙ୍କୁ କ୍ଷୟକ୍ଷତିର ରିପୋର୍ଟ ଦେଇଥିଲେ ଜିଲ୍ଲାପାଳ । 

ମୌସୁମୀ ଆସିଲେ ଖୁସି ହୁଏ ଚାଷୀ । କିନ୍ତୁ ଚଳିତ ଥର ସଅଳ ଆସିଥିବା ମୌସୁମୀ ଚାଷୀର ଅଣ୍ଟା ଭାଙ୍ଗି ଦେଇଛି । ବର୍ଷା ଯୋଗୁଁ କେଉଁଠି ଧାନ କ୍ଷେତରେ ଲହଡ଼ା ମାରୁଛି, ତ ଆଉ କେଉଁଠି ଅମଳ ଧାନ ଗଜା ହେବାକୁ ବସିଛି । ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ପଦ୍ମପୁରରେ ବର୍ଷାରେ ଭିଜିଛି ଧାନ ହୋଇଛି । ସେପଟେ ନଷ୍ଟ ହୋଇଥିବା ଧାନ କେଣ୍ଡା ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ କ୍ଷତିପୂରଣ ଦାବି କରିଛନ୍ତି ବରପାଲି ତହସିଲ କୁମ୍ଭାରୀ ପଞ୍ଚାୟତର ଚାଷୀ । ସେହିପରି କଳହାଣ୍ଡି ଧର୍ମଗଡ଼ରେ ରାସ୍ତା ଉପରେ ଧାନ ଶୁଖାଇଛନ୍ତି ଚାଷୀ । ପଲିଥିନ ତଳେ ପଡ଼ି ରହିଛି ବସ୍ତ ବସ୍ତା ଧାନ । 

ଖରିଫ ଋତୁରେ ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଥିଲେ ସରକାର । ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜିକରଣ ମଧ୍ୟ କରିଛନ୍ତି । ଚଳିତ ଥର ଭଲ ଅମଳ ହୋଇଥିବା ବେଳେ ଏଫଏକ୍ୟୁ ମାନର ଧାନ ଦେଇ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କା ପାଇବାକୁ ଆଶା ରଖିଥିଲେ ଚାଷୀ । ଯାହା ଏବେ ମୌସୁମୀ ବର୍ଷାରେ ଧୋଇଯାଇଛି ।