କନକ ବ୍ୟୁରୋ : ବଡ଼ ଘର ବଡ଼ ଗୁମର କଥା । ସମ୍ପତ୍ତିକୁ ନେଇ ମଣିଷ କେତେ ତଳସ୍ତରକୁ ଯାଇପାରେ, ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀରେ । ପୁରୀ ଜିଲ୍ଲା ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ନେଇ ଉଠିଛି ବିବାଦ । ମଶାଣିରେ ପୋଡ଼ା ଯାଉଥିବା ବେଳେ ଦରପୋଡ଼ା ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣାଙ୍କ ମୃତ୍ୟୁ ପରେ ମଶାଣିରେ ସମ୍ପତ୍ତିକୁ ନେଇ କଳି । ସତ୍ୟନଗର ଶ୍ମଶାନରେ ଜୁଇରେ ଶବ ଜଳୁଥିବା ବେଳେ ଅଧା ପୋଡ଼ା ଅବସ୍ଥାରେ ଉଠାଇ ଆଣିଛି ଖାରବେଳନଗର ଥାନା ପୋଲିସ । ସମ୍ପତ୍ତି ହାତେଇବା ପାଇଁ ବୋହୂ ଉପାସନା, କାହାକୁ ନଜଣାଇ, ପୋଷ୍ଟମର୍ଟମ ନକରି ଶବଦାହ କରୁଥିବା ଅଭିଯୋଗ ଆଣିଛନ୍ତି ମୃତ ଅଶ୍ରୁକଣାଙ୍କ ଭଉଣୀ । ସେପଟେ ବୋହୂ ଉପାସନା କହିଛନ୍ତି, ଶାଶୁଙ୍କ ସମ୍ପର୍କୀୟ ମାନେ ତାଙ୍କୁ ନିର୍ୟାତନା ଦେଇଆସୁଥିଲେ । ଦେହ ଖରାପ ବେଳେ କେହି ଆସୁନଥିଲେ । କିନ୍ତୁ ଏବେ ମୃତ୍ୟୁ ପରେ ସମ୍ପତ୍ତି ପାଇଁ ଏମିତି କରୁଛନ୍ତି ।
ସତ୍ୟନଗର ଶ୍ମଶାନରେ ପୋଡ଼ା ଚାଲିଥିଲା ଶବ । ଖବର ପାଇ ସମ୍ପର୍କୀୟ ଓ ଖାରବେଳନଗର ଥାନା ପୋଲିସ ପହଞ୍ଚିଥିଲେ । ପୋଲିସ ଜୁଇରୁ ଶବ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟମର୍ଟମ କରାଇଛି । ତେବେ ଏହାକୁ ନେଇ ଶ୍ମଶାନରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଥିଲେ ଅଶ୍ରୁକଣା ପ୍ରଧାନ। ସ୍ୱାମୀ ଅଜୟ ଜେନା ଥିଲେ ପୂର୍ବତନ ବିଧାୟକ । ତେବେ ସମ୍ପତ୍ତି ପାଇଁ ହେଉ କିମ୍ବା ଅନ୍ୟ କିଛି କାରଣ ପାଇଁ, ମୃତଦେହକୁ ନେଇ ମଶାଣିରେ ଏଭଳି ହାଇଡ୍ରାମାକୁ ନେଇ ଏବେ ଚର୍ଚ୍ଚା ।