କନକ ବ୍ୟୁରୋ: ଭୁଲ୍ ବୁଝାମଣାରୁ ଜୀବନ ଚାଲିଗଲା । ଅଗଷ୍ଟ ୨୩ ତାରିଖରେ ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥରେ ଘଟିଥିବା ଅଭାବନୀୟ ଘଟଣାର ସତ ସାମ୍ନାକୁ ଆସିଛି । ହରିୟାଣାର ଫରିଦାବାଦର ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ କାରକୁ ପିଛା କରି କିଛି ଗୋରକ୍ଷକ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଗୋରକ୍ଷକ ଭୁଲବଶତଃ ମୃତ ଛାତ୍ରକୁ ଗୋଚାଲାଣକାରୀ ସନ୍ଦେହ କରିଥିଲେ ବୋଲି କୁହାଯାଉଛି । ଆକ୍ରମଣ ପାଇଁ ଗୋରକ୍ଷକ ସଂଗଠନର ୫ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କ ନାମ ଅନିଲ କୌଶିକ, ବରୁଣ କ୍ରୀଷ୍ଣା, ଅଦେଶ ଓ ସୌରଭ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଏହି ପାଞ୍ଚଜଣ, ଆର୍ୟ୍ୟନ ମିଶ୍ର ଓ ତାଙ୍କର ସାଙ୍ଗ ସାଙ୍କି, ହର୍ଷିତ ଓ ଦୁଇଜଣ ଝିଅଙ୍କୁ ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥରେ ପ୍ରାୟ ୩୦ କିଲୋମିଟର ପିଛା କରିଥିଲେ । ଆର୍ୟ୍ୟନ ଓ ତାଙ୍କର ସାଙ୍ଗ ଗାଡ଼ି ନ ଅଟକାଇବାରୁ ପଛକୁ ଯାଇ କାର୍ ଉପରେ ଗୁଳି ଚଳାଇଥିଲେ ଅଭିଯୁକ୍ତ । ଗୋଟିଏ ଗୁଳି ଆର୍ୟ୍ୟନର ବେକରେ ବାଜିବା ପରେ କାର୍ ଅଟକିବାରୁ ପୁଣିଥରେ ଗୁଳିମାଡ଼ କରିଥିଲେ । ପାଲଟା ଆକ୍ରମଣ ଆଶଙ୍କାରେ ଦ୍ୱିତୀୟ ଗୁଳି ଆର୍ଯ୍ୟନର ଛାତିକୁ ମାରିଥିଲେ ଅଭିଯୁକ୍ତ ।