କନକ ବ୍ୟୁରୋ: ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ଭାରତକୁ ନୂଆ ବିପଦ ! ଏହି ଯୁଦ୍ଧ ଯୋଗୁଁ ଭାରତ ନିକଟରେ ସୃଷ୍ଟି ହେଲାଣି ବରମୁଡା ଭଳି ଟ୍ରାଙ୍ଗେଲ୍‌ । ଫଳରେ ଏହି ଜଳପଥ ଦେଇ ଯାଆଆସ କରୁଥିବା ବିମାନ ଓ ଜାହଜଗୁଡ଼ିକୁ ଅନେକ ସମସ୍ୟା ଭୋଗିବାକୁ ପଡ଼ୁଛି  । କାରଣ ଏହି ସ୍ଥାନରେ ଏବେ ଜିପିଏସ୍‌ ସିଷ୍ଟମ୍‌ କାମ କରିବା ବନ୍ଦ କରି ଦେଲାଣି । ୟୁକେ ଟ୍ରେଡ୍‌ ମେରିଟାଇମ୍‌ ଅପରେସନ୍‌ ପକ୍ଷରୁ ଏହି ଦାବି କରାଯାଇଛି । ଇରାନ ପାଖ ପର୍ସିଆନ ଗଲ୍ଫ ଓ ଗଲ୍ଫ ଅଫ୍‌ ଓମାନ୍‌ ମଧ୍ୟରେ ବରମୁଡା ଟ୍ରାଙ୍ଗେଲ୍‌ ସଦୃଶ ଏକ ଟ୍ରାଙ୍ଗେଲ୍‌ ସୃଷ୍ଟି ହୋଇଛି । ଫଲରେ ଏଠାରେ ସଠିକ ଢଙ୍ଗରେ ଜିପିଏସ୍‌ କାମ କରୁନାହିଁ । ଏଣୁ ଏଠାରେ ଜାହଜଗୁଡ଼ିକୁ ବ୍ୟାକ୍‌ଅପ୍‌ ମେଥଡ୍ ଆପଣାଇବାକୁ ପଡ଼ିବ ।  

Advertisment

ୟୁକେ ଟ୍ରେଡ୍‌ ମେରିଟାଇମ୍‌ ଅପରେସନ୍‌ ପକ୍ଷରୁ କୁହାଯାଇଛି ନିକଟରେ ଷ୍ଟ୍ରେଟ୍‌ ଅଫ୍‌ ହୋମ୍‌ରୁଜ୍‌ରେ ବଡ଼ ବଡ଼ ଜାହଜର ଜିପିଏସ୍‌ କାମ କରୁନଥିବା ଖବର ଆସିଛି । ପ୍ରଥମେ ମାର୍ଚ୍ଚ ୧୪ ଓ ପରେ ଏପ୍ରିଲ ୪ ତାରିଖରେ ଜିପିଏସ୍ ବ୍ଲକିଂ ଭଳି ଘଟଣା ସାମ୍ନାକୁ ଆସିଥିଲା । ସବୁଠାରୁ ବଡ଼ କଥା ହେଉଛି ଏଠାରେ ଇରାନ ନୌସେନାର ଏକ ନିଜସ୍ୱ ବନ୍ଦର ରହିଛି । ଏଣୁ ଇରାନ ଜାଣିଶୁଣି ଜିପିଏସ୍‌ ବ୍ଲକିଂ କରୁଥିବା ଅନୁମାନ କରାଯାଉଛି । 

ଟେକ୍ନୋଲୋଜି କ୍ଷେତ୍ରରେ ଇରାନ କେତେ ଶକ୍ତିଶାଳୀ ତାହା କାହାକୁ ଅଜଣା ନାହିଁ । ଏବେ ମିଡିଲ୍‌-ଇଷ୍ଟ୍‌ ବା ମଧ୍ୟ ପ୍ରାଚ୍ୟରେ ସ୍ଥିତି ଅଶାନ୍ତ ରହିଛି । ଷ୍ଟ୍ରେଟ୍‌ ଅଫ୍‌ ହୋମ୍‌ରୁଜ୍‌ ଆକାଶରେ ଲଗାତାର ଆମେରିକାର ଯୁଦ୍ଧ ବିମାନ ପଇଁତରା ମାରୁଛି । ଏଥିରେ କେତେକ ଅତ୍ୟାଧୁନିକ ଡ୍ରୋନ୍‌ ବି ସାମିଲ ଅଛି । ଏଣୁ ଏଠାରେ ଇରାନ ଜିପିଏସ୍‌ ସିଷ୍ଟମ୍ ବ୍ଲକିଂ ବ୍ୟବହାର କରିଥାଇପାରେ । ଯାହାଦ୍ୱାରା ବିମାନ ଓ ଡ୍ରୋନ୍‌ଗୁଡ଼ିକୁ ସୁରକ୍ଷିତ ଡାଟା ଲିଙ୍କ୍‌ ମିଳିପାରୁନି । 

ଗତ ୨୦୧୧ରେ ବି ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା । ଜିପିଏସ୍‌ ବ୍ଲକିଂ କରିବା ସହ ଇଲେକ୍ଟ୍ରୋନିକ୍‌ ଯୁଦ୍ଧର ଆହ୍ୱାନ ଦେଇଥିଲା ଇରାନ । ଏବେ ଏହି ଜଳପଥ ଦେଇ ଯାଆଆସ କରୁଥିବା ଅନ୍ୟ ଏସୀୟ ଦେଶଗୁଡ଼ିକର ବିମାନ ତଥା ଜାହଜଗୁଡିକ ବି ସମସ୍ୟାରେ ପଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି । କିନ୍ତୁ ଏଯାଏଁ ଏହାକୁ ନେଇ ଭାରତୀୟ ନୌସେନା ତଥା ସାମରିକ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।