କନକ ବ୍ୟୁରୋ: ଯାଜପୁର ଜିଲ୍ଲା କଳିଙ୍ଗ ନଗର ଓ ସଂଲଗ୍ନ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳରେ ପୁଣି ମାଓବାଦୀ ଚଳପ୍ରଚଳ ଆରମ୍ଭ ହୋଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି । ସୀମାନ୍ତ ଜଙ୍ଗଲରେ ମାଓ ନିପାତ ଅଭିଯାନ ଜୋରଦାର ହୋଇଥିବାରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ଜଙ୍ଗଲକୁ ଚାଲି ଆସିଥିବା କୁହାଯାଉଛି । ଏହି ଖବରକୁ ନେଇ ଭୟରେ ସ୍ଥାନୀୟ ଅଞ୍ଚଳର ଲୋକ ମୁହଁ ଖୋଲୁ ନାହାନ୍ତି । କିନ୍ତୁ ଘଞ୍ଚ ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ଚର୍ଚ୍ଚା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।  
 
ଯାଜପୁର ଜିଲ୍ଲା କଳିଙ୍ଗନଗର ସଂଲଗ୍ନ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ବାରେଇଗୋଡ଼ା ରେବଣା ଘଞ୍ଚ ଜଙ୍ଗଲରେ ମାଓକ୍ୟାମ୍ପ । ବଡ଼ଝାର ଓ ବଡ଼ଜିମେଇଁ ଗାଁରେ ମାଓବାଦୀ ଆଡ୍ଡା ଜମାଇଛନ୍ତି । ଗତ ରବିବାର ଦୈତାରି ଥାନା ଅନ୍ତର୍ଗତ ବାଣୀଟାଙ୍ଗର – ପଥରଗୋଡ଼ା ରାସ୍ତାରେ ୩ ଜଣ ଲୋକ ଅତ୍ୟାଧୁନିକ ମାରଣାସ୍ତ୍ର ଧରି ଯାଉଥିଲେ ବୋଲି ଖବର ସାମ୍ନା‌କୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ସ୍ଥାନୀୟ ଲୋକେ କ୍ୟାମେରା ସାମନାରେ କିଛି କହିବାକୁ ଭୟ କରୁଥିଲେ ବି ଆତଙ୍କିତ ହୋଇ ପଡିଛନ୍ତି । 

Advertisment

କିଛିଦିନ ତଳେ ରେବଣା ସଂରକ୍ଷିତ ଜଙ୍ଗଲରେ ଏକ ମହାବଳ ବାଘକୁ  ଶିକାର କରାଯାଇଥିଲା । ଶିକାରୀଙ୍କୁ ଠାବ କରିବା ପାଇଁ ଲଗାଯାଇଥିବା ଟ୍ରାପ୍ କ୍ୟାମେରା ଭଙ୍ଗା ଯାଇଥିବାରୁ ଏହା ମାଓବାଦୀଙ୍କ କାମ ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରୁଛନ୍ତି । ପୁଲିସ କିଛି କହୁ ନଥିଲେ ମଧ୍ୟ ଘନଘନ ପାଟ୍ରୋଲିଂରୁ ଲୋକଙ୍କ ସନ୍ଦେହକୁ ବଢ଼ାଇ ଦେଇଛି । 

୨୦୦୬ରେ ଏହି ଅଞ୍ଚଳରେ ମାଓବାଦୀ ସକ୍ରିୟ ହୋଇଥିଲେ । ୨୦୦୯ରେ ଦୈତାରି ଥାନାର ଜଣେ ଏସଆଇ ଓ ଜଣେ ହୋମଗାର୍ଡଙ୍କୁ ମାଓବାଦୀ ହତ୍ୟା କରିଥିଲେ । ୨୦୧୦ରେ ପୁଲିସ ଇନଫର୍ମର ସନ୍ଦେହରେ ରେବଣା ପଳାଶପାଳରେ ଦୁଇଜଣଙ୍କୁ ହତ୍ୟା କରିଥିଲେ ମାଓବାଦୀ । ଜଣେ ଏଏସଆଇଙ୍କୁ ଅପହରଣ କରି ୮ ଦିନ ପରେ ମାଓବାଦୀ ଛାଡ଼ିଥିଲେ । ୨୦୧୧ରେ ପୁଲିସ ଏନକାଉଣ୍ଟରରେ ୩ ଜଣ ମାଓବାଦୀ ନିହତ ହୋଇଥିଲେ । ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନରେ କିଛିଦିନ ମାଓ କାର୍ଯ୍ୟକଳାପ ବନ୍ଦ ଥିଲା । ଏହାପରେ ଏବେ କଳିଙ୍ଗନଗର ମାଓ ଡିଭିଜନ ପୁଣି ସକ୍ରିୟ ହୋଇଥିବା ସନ୍ଦେହ ବଢ଼ିଛି । ତେବେ ରାଉରକେଲା ଗସ୍ତରେ ଯାଇଥିବାବେଳେ ମାଓବାଦୀଙ୍କୁ ପୁଣି କଡା ଚେତାବନୀ ଦେଇଛନ୍ତି ପୋଲିସ ଡିଜି । ଛତିଶଗଡ଼ରେ ବରମ୍ୱାର ଏନକାଉଣ୍ଟରରେ ବହୁ ମାଓବାଦୀ ନିହତ ହେବା ପରେ କଳିଙ୍ଗନଗର ଡିଭିଜନକୁ ନିରାପଦ ଆଶ୍ରୟସ୍ଥଳ ଭାବେ ଲାଲବାହିନୀ ବାଛିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।